ଧରାକୋଟ,29/3/24
ଧରାକୋଟ ପଞ୍ଚାୟତ ଅନ୍ତର୍ଗତ ଥାନା ଛକ ଠାରୁ ତାଳପାଟଣା ଛକ କୁ ସଂଯୋଗ କରୁଥିବା ପ୍ରାୟ 1500 ମିଟର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଆସିକା ଅଧିନରେ ରହିଛି । ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ରହିଥିବା ଏହି ରାସ୍ତାକୁ ବିଳମ୍ବରେ ହେଲେ ମଧ୍ୟ ବିଭାଗ ତରଫରୁ ପୁନଃ ନିର୍ମାଣ କରାଯାଇଛି । ହେଲେ ଏହି ରାସ୍ତାରେ ଥାନା ଛକ ଠାରୁ ମାତ୍ର ଶହେ ମିଟର ଦୂରରେ ରାସ୍ତା କଡ଼ରେ ଏକ ଶୁଖିଲା ଗଛ ବିପଦ ଜନକ ସ୍ଥିତିରେ ରହିଛି । ଦୁଇ ଦିନ ପୂର୍ବରୁ ଏହି ଶୁଖିଲା ଗଛ ର ଏକ ବିରାଟ ଡାଳ ହଠାତ ଭାଙ୍ଗି ଯିବାରୁ ସଂପୃକ୍ତ ରାସ୍ତା ଅବରୋଧ ହୋଇ ରହିଥିଲା । ଲୋକେ ଭଙ୍ଗା ଡାଳକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସୁଗମ ହୋଇଥିଲା । ସଂପ୍ରତି ଗଛଟିର ଅନ୍ୟାନ୍ୟ ଡାଳ,ଶାଖା ପ୍ରଶାଖା ଶୁଖି ରାସ୍ତା ଉପରେ ଓହଳି ରହିଛି । କେଉଁ ମୁହୂର୍ତ୍ତରେ ଏହା ରାସ୍ତାରେ ଯାତାୟାତ କରୁଥିବା ଲୋକ ଓ ଗାଡି ମଟର ଉପରେ ଛିଡି ପଡ଼ିବ ତାହା କହିହେଉ ନାହିଁ । ଜଙ୍ଗଲ ବିଭାଗ ତରଫରୁ କଟକଣା ଜାରୀ କରାଯାଇଥିବା ଯୋଗୁଁ ଏହାକୁ କେହି କାଟୁ ନାହାନ୍ତି । ଅନ୍ୟପଟରେ ବିଭାଗ ତରଫରୁ ମଧ୍ୟ ଏହି ଶୁଖିଲା ଗଛ କାଟିବା ପାଇଁ ତତ୍ପରତା ପ୍ରକାଶ ପାଉନାହିଁ । ଏହି ରାସ୍ତା ବ୍ଲକର ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତା । ଧରାକୋଟ ବ୍ଲକ ସହ ଭଞ୍ଜନଗର ଉପଖଣ୍ଡ କୁ ଯୋଡିବା ସହ ଋଷିକୁଲ୍ୟା ନଦୀର ଉତ୍ତର ପଟରେ ରହିଥିବା ସିଙ୍ଗିପୁର, ଯାହାଡ଼ା,ଜଗମୋହନ, ଝରପାରି ଓ ଝାଡବନ୍ଧ ପଞ୍ଚାୟତ କୁ ଯିବା ପାଇଁ ଏହା ଏକ ପ୍ରମୁଖ ରାସ୍ତା । ଏହି ରାସ୍ତାରେ ଲକ୍ଷ୍ମୀ ବସ,ଘରୋଇ ବସ, ସରକାରୀ ଯାନ ଯାତାୟାତ ସହ ସ୍କୁଲ,କଲେଜ,ସ୍ୱାସ୍ଥ୍ୟକେନ୍ଦ୍ର,ବ୍ୟାଙ୍କ, ବ୍ଲକ,ତହସିଲ,ଥାନା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ କୁ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା ପାଇଁ ନିର୍ଭର କରନ୍ତି। ଏଣୁ ଏହି ଶୁଖିଲା ଗଛ ସତେ ଯେପରି ବିପଦକୁ ଡାକି ଆଣୁଛି। କେତେବେ ଜେ ଅଘଟଣ ନଘଟିବ କହି ହେଉନାହିଁ । ଆଗକୁ ସାଧାରଣ ନିର୍ବାଚନ। ଅଧିକ ସଂଖ୍ୟାରେ ଲୋକେ ଓ ଗାଡି ମଟର ଏହି ରାସ୍ତାରେ ଚଳାଚଳ କରିବ । ଏଣୁ ପ୍ରଶାସନ ତରଫରୁ ତୁରନ୍ତ ରାସ୍ତା କଡ଼ରୁ ଏହି ଶୁଖିଲା ଗଛ ହଟାଇବା ପାଇଁ ଲୋକେ ଦାବୀ କରିଛନ୍ତି।
