You are currently viewing ଆନ୍ଧ୍ର ପ୍ରଦେଶରେ ‘ଓଡ଼ିଆ ଭାଷା ସୁରକ୍ଷା ସମିତି’ ଗଠିତ
ଆନ୍ଧ୍ର ପ୍ରଦେଶରେ ‘ଓଡ଼ିଆ ଭାଷା ସୁରକ୍ଷା ସମିତି’ ଗଠିତ

ମଞ୍ଜୁଷା (ଆନ୍ଧ୍ରପ୍ରଦେଶ), ତା.21/09 :
ପଡୋଶୀ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଓଡ଼ିଶାର ବିଛିନ୍ନାଞ୍ଚଳରେ ସେଠାକାର ଜନ ସଂଖ୍ୟାର ଅର୍ଦ୍ଧାଧିକ ଓଡ଼ିଆ ଲୋକ ବସବାସ କରୁଥିବା ବେଳେ ଆନ୍ଧ୍ର ସରକାରଙ୍କ ଅବହେଳା କ୍ରମେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l ଏହାର ସମାଧାନ ନିମନ୍ତେ ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ସାନ କୁସ୍ତା ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ବୁଡ଼ାରସିଙ୍ଗି ସରପଞ୍ଚ ସୁରେଶ ପାଣିଗ୍ରାହୀଙ୍କ ଅଧ୍ୟାକ୍ଷତାରେ ଓଡ଼ିଆ ସମାଜ ବସିଥିଲା l ଏଥିରେ ମାଳ ଗୋବିନ୍ଦପୁର ଆଶ୍ରମ ସ୍କୁଲରେ କେବଳ ତେଲୁଗୁ ଶିକ୍ଷକ ନିଯୁକ୍ତି ହେତୁ ଦ୍ବିଶତାଧିକ ଶିକ୍ଷାର୍ଥୀ ବିଦ୍ୟାଳୟ ଛାଡ଼ିବା ନେଇ ଉଦବେଗ ପ୍ରକାଶ ପାଇଥିଲା l

ବିଛିନ୍ନାଞ୍ଚଳର ଓଡ଼ିଆ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦାବିପତ୍ର ବିଧାୟକ ଡଃ. ବି. ଅଶୋକ ଏବଂ ଜି. ଶିରିଶା ଦେବୀଙ୍କୁ ପ୍ରଦାନ କରାଯାଇଥିଲା l ଉକ୍ତ ସଭାରେ ଓଷମା ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ପାଢ଼ୀ ମୁଖ୍ୟ ଅତିଥି, ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ ସଭାପତି ସୀମାନ୍ତ ନାଟରାଜ ଡା. ତିରୁପତି ସାହୁ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଶିକ୍ଷକ ସଂଘ ସଭାପତି ଭାସ୍କର ପାଢ଼ୀ, ସାଧାରଣ ସମ୍ପାଦକ ବୃନ୍ଦାବନ ଦଳାଇ, ଡିଇଓ ଚୌଧୁରୀ ସାର, ସମାଜସେବୀ ୟୁ. ବ୍ରହ୍ମାନନ୍ଦ, ତଳ ଗୁରାଣ୍ଟି ସରପଞ୍ଚ ଯୋଗୀ, ବାଦପୁର ସରପଞ୍ଚ ହାରେଶ, ସିଏଚ. ଦୁର୍ଯ୍ୟୋଧନ, ଗୋବିନ୍ଦ ବେହେରା ପ୍ରମୁଖ ଯୋଗଦେଇ ସମସ୍ୟା ବିଦୁରିତ ନିମନ୍ତେ ଏକତାର ରାହା ସର୍ବୋତ୍କୃଷ୍ଟ ବୋଲି ମତବ୍ୟକ୍ତ କରିଥିଲେ l
ଆଲୋଚନାରେ ଶିକ୍ଷକ ଓ ବୁଦ୍ଧିଜୀବୀ ମହଲରୁ ସର୍ବଶ୍ରୀ ପି. ନିରାକାର, ଜଗଦୀଶ ପଣ୍ଡା, ରାମ ଭୂୟାଁ, ଜଳନ୍ଧର ସାହୁ, ପ୍ରଦେଶ ତ୍ରିପାଠୀ, ୟୁ. କ୍ରିଷ୍ଣା, ବଳରାମ ବିଶ୍ୱାସରାୟ, ସାଗର ରାଉଳ, ଚୀନ କ୍ରିଷ୍ଣା ପ୍ରମୁଖ ଅଂଶ ଗ୍ରହଣ କରି ଉଭୟ ଆନ୍ଧ୍ର ଓ ଓଡ଼ିଶା ସରକାର ଆମକୁ ଯଥାର୍ଥ ସହାୟତା ଯୋଗାଇଦେବା ନିମନ୍ତେ ନିବେଦନ କରିଥିଲେ l ବିଛିନ୍ନାଞ୍ଚଳବାସୀ ଓଡ଼ିଆଙ୍କ ସୁରକ୍ଷା ନିମନ୍ତେ ସର୍ବସମ୍ମତ କ୍ରମେ ‘ଓଡ଼ିଆ ଭାଷା ସୁରକ୍ଷା ସମିତି’ ଗଠନ କରାଗଲା l ବୈଠକର ସଭାପତି ସୁରେଶ ପାଣିଗ୍ରାହୀ ସମିତିର ଆବାହକ ରହିଲେ ଏବଂ ପରବର୍ତ୍ତୀ ବୈଠକରେ କର୍ମକର୍ତ୍ତା ଚୟନ ନେଇ ନିଷ୍ପତି ନିଆଗଲା l

ନିମନ୍ତ୍ରିତ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ଭିଡିଓ କନଫରେନ୍ସ ଯୋଗେ ସମିତି ଗଠନ ନିମନ୍ତେ ସାଧୁବାଦ ଜ୍ଞାପନ ସହ ଓଡ଼ିଆଙ୍କ ମହନୀୟ ଜାତୀୟ ଚରିତ୍ରର ଅବତାରଣା କରିଥିଲେ l କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ l