You are currently viewing ଫେସବୁକରେ କମେଣ୍ଟ ମରାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ, ଦୁଇଟି ମାମଲା ରୁଜୁ
ଫେସବୁକରେ କମେଣ୍ଟ ମରାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ, ଦୁଇଟି ମାମଲା ରୁଜୁ

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦକୋଟ ପଂଚାୟତର କଣ୍ଟାପଡା ଗ୍ରାମରେ ଫେସବୁକରେ କମେଣ୍ଟ ମରାକୁ ନେଇ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ଫେସବୁକରେ କମେଣ୍ଟ ମରା ବିଷୟକୁ ନେଇ ସୋମବାର ଦିନ ଏହି ଗ୍ରାମର ରତ୍ନାକର ଖଟୁଆ ଓ କିଛି ଯୁବକ ଙ୍କ ସହ ବଚସା ହେବା ସହ ହାତାହାତି ହୋଇଥିଲା । ଫଳରେ ରତ୍ନାକର ସେଠାରୁ ଖସି 112 କୁ କଲ କରି ପୋଲିସ କୁ ଜଣାଇଥିଲେ । ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଂଚି ରତ୍ନାକରକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ଏହି ଗ୍ରାମର କେତେଜଣ ବ୍ୟକ୍ତି ତାଙ୍କୁ ଛାଡି ନ ଥିଲେ। ଏପରି କି ପୋଲିସ ଉପସ୍ଥିତରେ ରତ୍ନାକରକୁ ଆକ୍ରମଣ କରିଥିବା ଏବଂ ପୋଲିସ ନାକେଦମ ହୋଇଥିବା ଏତଲାରୁ ଜଣାପଡିଛି । ପରେ ଗ୍ରାମର କିଛି ଭଦ୍ର ଲୋକ ଓ ପୋଲିସ ସହାୟତା ରେ ରତ୍ନାକରକୁ ଉଦ୍ଧାର କରାଯାଇଥିଲା । ରତ୍ନାକର କୋଦଳା ଥାନାରେ ବାର ଜଣ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କ ନାମରେ ଏତଲା ଦେବାପରେ ପୋଲିସ 535/ 2024 ରେ ଏକ ମାମଲା ରୁଜୁ କରିଥିଲେ । ଅନ୍ୟ ପକ୍ଷରେ ପୋଲିସକୁ ନିଜ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଥିବା ଓ ଆଇନକୁ ଅବମାନନା କରିଥିବା ଯୋଗୁଁ ପୋଲିସ ପକ୍ଷରୁ 534/2024 ରେ ଏକ ମାମଲା ମଧ୍ୟ ରୁଜୁ କରିଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ରତ୍ନାକରକୁ କୋଦଳା ମେଡିକାଲ କୁ ନେବା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ କାହାରିକୁ ଗିରଫ କରା ନ ଯାଇଥିବା ପୋଲିସ ସୂଚନା ଦେଇଛି ।