ଚାଷ ଜମି ଭିତରେ ନେଲେ ଚାଷୀଙ୍କ ଜୀବନ
ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ନୂଆଗାଁ ବ୍ଲକ ବିଶ୍ରା ବନାଞ୍ଚଳ ତଥା ବିଶ୍ରା ଥାନା ଚିତାପେଡ଼ି ପଞ୍ଚାୟେତ ଅନ୍ତର୍ଗତ କୁଲାବେଡା ଗ୍ରାମ ଜାମଟୋଲୀ ବସ୍ତିରେ ରହୁଥିବା ବେଲାସ ଏକ୍କା ୪୮ ବର୍ଷ ନାମକ ଜଣେ ଯୁବକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣା ପଡିଛି । ଖବର ପାଇ ବିଶ୍ରା ରେଞ୍ଜର ଫରେଷ୍ଟର ପାଉଲୁସ ଓରାମ, ବିଜୟ କଲ୍ଲେର, ବନ କର୍ମଚାରୀ ସୁନୀଲ ମିଞ୍ଜ ଏବଂ ବିଶ୍ରା ଥାନା ପୋଲିଶ ଘଟଣାସ୍ଥଳକୁ ଯାଇ ମୃତ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି । କୁଲାବେଡା ଗ୍ରାମ ର ବେଲାସ ହାତୀଦାଉରୁ ନିଜ ଫସଲକୁ ସୁରକ୍ଷିତ ରଖିବା ପାଇଁ ନିଜ ଧାନ ଫସଲ କୁ ଜଗିଥିଲେ । ହେଲେ ରାତିରେ ଏକ ୨୨ ଜଣିଆ ହାତୀପଲ କୁଲାବେଡା ଗ୍ରାମକୁ ପଶିଥିଲେ । ବିଭିନ୍ନ ଚାଷ ଜମି ରେ ପଶିଫସଲ ନଷ୍ଟ କରିବା ସହ ଅମଳ ହେବାକୁ ଥିବା ସୁନାର ଧାନ ଫସଲକୁ ମାଡ଼ି ଦଳି ନଷ୍ଟ କରୁଥିଲେ । ଖବର ପାଇ ଗ୍ରାମର ଲୋକେ ନିଦରୁ ଉଠି ହାତୀ ପଲଙ୍କୁ ଘଉଡେଇବାକୁ ଉଦ୍ୟମ କରିଥିଲେ । ତେବେ କୁଆଡେ ଗ୍ରାମ ଲୋକେ ଦୁଇ ଦଳହୋଇ ହାତୀପଲଙ୍କୁ ଘଉଡାଉ ଥିଲେ । ହେଲେ ଏହି ସମୟରେ ବେଲାସ ଗୋଟେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀଟି ତାଙ୍କୁ ଜମି ମଝିରେ ହିଁ କଚାଡି ମାରି ଦେଇଥିଲା । ହାତୀଟି ଏଭଳିଭାବରେ ବେଲାସଙ୍କୁ କଚାଡି ମାରିଛି ଯେ ତାଙ୍କ ଶରୀରର ସମସ୍ତ ଅଂଶ ରୁ ମାଂସ ବାହାରି ପଡିଛି । ଏହି ଘଟଣା ପରେ ସୀମାନ୍ତରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଆଜି ନୁହେଁ ଦୀର୍ଘ ୬ ମାସରୁ ଉର୍ଦ୍ଧହେବ ଏହି ୨୨ ଜଣିଆ ହାତୀପଲ ବିଶ୍ରାରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳେଇ ରଖିଛନ୍ତି । ଦିନ ହେଲେ ଜଙ୍ଗଲରେ ପଶି ରହୁଛନ୍ତି । ରାତିହେଲେ ଗାଁ, ଚାଷଜମିରେ ପଶି ଧନ , ଜୀବନ ନଷ୍ଟ କରୁଛନ୍ତି । ବର୍ତ୍ତମାନ ବି ଏହି ହାତୀପଲ ନୂଆଗାଁ ବ୍ଲକ ଚିତାପେଡି ପଞ୍ଚାୟେତର ସୀମାବର୍ତ୍ତୀ କୁଦାହୁଡାଙ୍ଗ ଜଙ୍ଗଲରେ ଲୁଚି ରହିଛନ୍ତି । ବର୍ତ୍ତମାନ ଗାଁ, ଗାଁରେ ଧାନ ଅମଳ ସମୟ ଥିବାବେଳେ ଚାଷୀମାନେ ଭରପୁର ପନିପରିବା ଚାଷ କରିଛନ୍ତି । ହେଲେ ଏବେ ହାତୀଙ୍କ ତାଣ୍ଡବ ସେମାନଙ୍କୁ ଚିନ୍ତାରେ ପକେଇ ଦେଇଛି । ବନବିଭାଗ କିଛି ସ୍ଥାୟୀ ପ୍ରତିକାର ନ କଲେ ଅଞ୍ଚଳରେ ହାତୀ ଉପଦ୍ରଵ ଏମିତି ବଢ଼ି ଚାଲିଥିବ ତଥା ଏ ଅଞ୍ଚଳରେ ଧନ, ଜୀବନ ନଷ୍ଟ ହେଉଥି । ଏ ଦିଗରେ ଡି, ଏଫ, ଓ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ପ୍ରବଳର ଦାବି ହେଉଛି ।
ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।
