You are currently viewing ଦ୍ବିତୀୟ ବାରଣାସୀରେ ଜଗନ୍ନାଥ ମହୋତ୍ସବ ଆରମ୍ଭକଳସଯାତ୍ରା ଆୟୋଜନ ସହ ମେରୁସ୍ତମ୍ଭ ସ୍ଥାପନ
ଦ୍ବିତୀୟ ବାରଣାସୀରେ ଜଗନ୍ନାଥ ମହୋତ୍ସବ ଆରମ୍ଭକଳସଯାତ୍ରା ଆୟୋଜନ ସହ ମେରୁସ୍ତମ୍ଭ ସ୍ଥାପନ

ସୁବର୍ଣ୍ଣପୁର,୧୯l୦୩( ରିପୋର୍ଟ -ରଞ୍ଜନ ହୋତା )- ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ବନିରେ ଦ୍ବିତୀୟ ବାରଣାସୀ ସୁବର୍ଣ୍ଣପୁର ପ୍ରକମ୍ପିତ ହେଉଛି । ସାତ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଜଗନ୍ନାଥ ମହୋତ୍ସବ ବୁଧବାର ରୀତିନୀତି ଅନୁସାରେ ଆରମ୍ଭ ହୋଇଛି । ପୂର୍ବାହ୍ନରେ ଶତାଧିକ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମା ଦଶମତୀ ପୂଜା ପାଉଥିବା ପବିତ୍ର ଦଶମତୀ ଘାଟରୁ କଳସରେ ପୁଣ୍ୟତୋୟା ମହାନଦୀ ଜଳ ମୁଣ୍ଡାଇ ମହିଳା ମାନେ ସାରା ସହର ପରିକ୍ରମା କରିଥିଲେ ।

ଭଜନ କୀର୍ତ୍ତନରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ରାମେଶ୍ବର ଷ୍ଟାଡିୟମର ଯଜ୍ଞ ମଣ୍ଡପ ନିକଟରେ ଏହି ୧୦୮ କଳସୀ ଜଳ ସ୍ଥାପନ କରାଯାଇଥିଲା । କମିଟିର ସଭାପତି ଗଦାଧର ବାରିକ, ସଂପାଦକ ଶ୍ୟାମାଓଁ ପ୍ରସାଦ ମିଶ୍ର, ବୈକୁଣ୍ଠ ଶତପଥୀ, ଶ୍ରୀବତ୍ସ ମଲ୍ଲିକ, ଶ୍ରଦ୍ଧାଞ୍ଜଳି ମିଶ୍ର, ଆରତି ଖମାରୀ, ସୁନନ୍ଦା ସାହୁ, ରାଧେଶ୍ଯାମ ପୁରୋହିତ, ବିଘ୍ନରାଜ ପଣ୍ଡା, ଗଣପତି ବାଘ, ସଚିଦାନନ୍ଦ ଦାଶ, ମନୋଜ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଏପଟେ ପାତାଳୀ ଶ୍ରୀକ୍ଷେତ୍ରରୁ ଆସିଥିବା ମେରୁସ୍ତମ୍ଭ ଯଜ୍ଞ ସ୍ଥଳରେ ପହଞ୍ଚିବା ପରେ ବନ୍ଦାପନା କରାଯାଇଥିଲା । ପୁରୋହିତ ପଣ୍ଡିତ ରାଜୀବଲୋଚନ ପଣ୍ଡାଙ୍କ ଦ୍ବାରା ପୂଜାକର୍ମ ପରେ ମେରୁସ୍ତମ୍ଭ ସ୍ଥାପନ କରାଯାଇଥିଲା ।

ସନ୍ଧ୍ୟାରେ ସୁନ୍ଦରାକାଣ୍ଡ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ସୋନପୁର ତ୍ରିବେଣୀ ସଙ୍ଗମ ସ୍ଥିତ ରାମେଶ୍ବର ଷ୍ଟାଡିୟମରେ ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହେବ । ସାତ ଦିନ ବ୍ୟାପୀ ପଞ୍ଚ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ, ନାମ, ପ୍ରବଚନ, ଭଜନ କାର୍ଯ୍ୟକ୍ରମ, ଜଗନ୍ନାଥଙ୍କ ୩୨ଟି ବେଶ, ଅନ୍ନଯଜ୍ଞ, ସାଧୁସେବା ଏବଂ ତ୍ରିବେଣୀ ସଙ୍ଗମରେ ସାହିସ୍ନାନ ଆଦି ଅନୁଷ୍ଠିତ ହେବ।