You are currently viewing ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ସମ୍ବଳିତ ସ୍ମରଣିକା “ସିଦ୍ଧପୁରୁଷ” ଉନ୍ମୋଚିତ
ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ସମ୍ବଳିତ ସ୍ମରଣିକା “ସିଦ୍ଧପୁରୁଷ” ଉନ୍ମୋଚିତ

ଡା. ଦେବେନ୍ଦ୍ର ପ୍ରଧାନ ଥିଲେ ଜଣେ ‘ଟ୍ରୁ ଷ୍ଟେଟ୍ସମ୍ୟାନ୍’ : ଡକ୍ଟର ହରିବାବୁ କମ୍ଭମପାଟି

o ଡା.ପ୍ରଧାନଙ୍କ ସ୍ମୃତିରେ ଇଂରାଜୀ ପୁସ୍ତକ “ରୋଡମ୍ୟାନ୍” ଉନ୍ମୋଚିତ
o ଓଡ଼ିଶାରେ ବିଜେପିକୁ ସଶକ୍ତ ଓ ସଂଗଠନକୁ ମଜଭୂତ୍ କରିବା ଥିଲା ତାଙ୍କର ମୂଳ କଳ୍ପନା : ବିଶ୍ୱଭୂଷଣ ହରିଚନ୍ଦନ
o ଡା. ପ୍ରଧାନ ଜଣେ ଦୁର୍ଲଭ ମଣିଷ, ତାଙ୍କ ସଫଳ କାହାଣୀକୁ ଉତ୍ସବ ଭାବେ ପାଳନ କରାଯାଉ : ସୌମ୍ୟ ରଞ୍ଜନ ପଟ୍ଟନାୟକ
o ସମ୍ବଲପୁରୀ ଭାଷାରେ ଲେଖିବା ପାଇଁ ମୋତେ ଉତ୍ସାହିତ କରିଥିଲେ : ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ
o ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକର ପ୍ରକାଶକ ଗଙ୍ଗାଧର ତ୍ରିପାଠୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ସ୍ମରଣିକାକୁ ବ୍ୟକ୍ତିବିଶେଷଙ୍କ ପ୍ରଶଂସା

ଭୁବନେଶ୍ୱର, (ଦିଲୀପ କୁମାର ଚୋପଦାର ) ମାର୍ଚ୍ଚ ୨୬, ୨୦୨୫ : ଭୁବନେଶ୍ୱର ଜୟଦେବ ଭବନ ଠାରେ ବୁଧବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶାର ବର୍ଷିଆନ ରାଜନେତା ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ସମ୍ବଳିତ ସ୍ମରଣିକା “ସିଦ୍ଧପୁରୁଷ” ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକର ପ୍ରକାଶକ ଶ୍ରୀଯୁକ୍ତ ଗଙ୍ଗାଧର ତ୍ରିପାଠୀଙ୍କ ଦ୍ୱାରା ଏହି ସ୍ମରଣିକା ପ୍ରସ୍ତୁତ ହୋଇଛି । ଏହି ଅବସରରେ ଡା.ପ୍ରଧାନଙ୍କ ସ୍ମୃତିରେ ଆଉ ଏକ ଇଂରାଜୀ ପୁସ୍ତକ “ରୋଡମ୍ୟାନ୍” ମଧ୍ୟ ବ୍ୟକ୍ତିବିଶେଷମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ।

ଡା. ପ୍ରଧାନଙ୍କ ନେତୃତ୍ୱରେ ଜାତୀୟ ଓ ରାଜ୍ୟ ସ୍ତରରେ ହୋଇଥିବା ବିକାଶକୁ ରାଜ୍ୟପାଳ ପ୍ରଶଂସା କରିବା ସହ କହିଛନ୍ତି ଯେ ଆଜି ଡା. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିକୁ ନେଇ ଯେଉଁ ସ୍ମରଣିକା ଉନ୍ମୋଚନ ହୋଇଅଛି, ତାହା କେବଳ ତାଙ୍କ ସ୍ମୃତି କଥାଗୁଡିକର ସଂଗ୍ରହର ବିଷୟ ନୁହେଁ ବରଂ ତାଙ୍କର ଜୀବନ ଚରିତ୍ର, ସେବା, ଦେଶ ନିର୍ମାଣ ତଥା ଜଣେ ଅନନ୍ୟ ନେତୃତ୍ୱର ପ୍ରତିଫଳନ । ସେ ଥିଲେ ଟ୍ରୁ ଷ୍ଟେଟ୍ସମ୍ୟାନ ଯେ, ଲୋକଙ୍କ କଲ୍ୟାଣରେ ବ୍ରତୀ ରହୁଥିଲେ । ସେ ଡାକ୍ତର ଭାବରେ ଲୋକଙ୍କ ସେବା କରିଥିଲେ ଏବଂ ତାଙ୍କର ଭିଜନ ଥିଲା ବହୁତ ଉର୍ଦ୍ଧ୍ୱରେ ।

ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଭିଜନରେ ଭୂତଳ ଓ ଭୂତଳ ପରିବହନ ମନ୍ତ୍ରଣାଳୟ ଏବଂ କୃଷି ମନ୍ତ୍ରଣାଳୟରେ କେନ୍ଦ୍ରମନ୍ତ୍ରୀ ଭାବରେ ତାଙ୍କର ଯୋଗଦାନ ରହିଛି । ତାଙ୍କ ଦ୍ୱାରା ପ୍ରସ୍ତୁତ ରଣନୀତି, ନୀତିଗତ ସଂସ୍କାଣ ; ରାଜପଥ ଏବଂ କୃଷି କ୍ଷେତ୍ର ତଥା ଜାତୀୟ ପ୍ରଗତିରେ ଅନେକ ଯୋଗଦାନ ରଖିଛି । ଓଡ଼ିଶାର ବିକାଶ ଏବଂ ସୁସମୃଦ୍ଧ କରାଇବା ତଥା ରାଜ୍ୟରେ ଯୋଗାଯୋଗକୁ ସୁଦୃଢ଼ ସହ କୃଷି ନୀତିରେ ସଂସ୍କାର ଆଣିବାରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଓଡ଼ିଶାର ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ଥିଲେ ବୋଲି ମାନ୍ୟବର ରାଜ୍ୟପାଳ କହିଛନ୍ତି ।

ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଡା. ପ୍ରଧାନଙ୍କ ସହ ଥିବା ସ୍ମୃତିକୁ ମନେପକାଇବା ସହ କହିଥିଲେ ସେ ମୋର ମୋର ପ୍ରିୟ ବନ୍ଧୁ ଥିଲେ । ତାଙ୍କର ବିୟୋଗ ଖବରକୁ ମୁଁ ଯେଉଁଦିନ ଟିଭିରେ ଦେଖିଲି, ତାହା ମୋର ବିଶ୍ୱାସ ବାହାରେ ଥିଲା । ତାଙ୍କ ଜୀବନ ଯାତ୍ରାର ପ୍ରାରମ୍ଭରୁ ଶେଷ ଯାଏଁ ମୁଁ ତାଙ୍କ ସହ ରହିଛି । ତାଙ୍କ ମନରେ ଆଦୌ ଅହଙ୍କାର ଓ ଗର୍ବ ନଥିଲା । ସେ ସେଭଳି ଜଣେ ରାଜନେତା ବିରଳ ନିଶ୍ଚୟ । ଦଳର ଦୁର୍ଦ୍ଦିନ ସମୟରେ ସେ ବିଜେପି ପାର୍ଟିକୁ ପରିଚାଳନା କରୁଥିଲେ । ଅଧୈର୍ଯ୍ୟ ହୁଅନ୍ତି ନାହିଁ । ଓଡ଼ିଶାରେ ବିଜେପିକୁ ସଶକ୍ତ ଓ ସଂଗଠନକୁ ମଜଭୂତ୍ କରିବା ଥିଲା ତାଙ୍କର ମୂଳ କଳ୍ପନା । ଭୂପୃଷ୍ଠ ଏବଂ ସଡକ ପରିବହନ ଏବଂ କୃଷି ମନ୍ତ୍ରୀ ଭାବରେ ତାଙ୍କର ବିଶେଷ ଅନେକ ଅବଦାନ ରହିଛି । ଓଡ଼ିଶାର ବିକାଶ କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ଅବଦାନ ରହିଥିବା ସେ ପ୍ରକାଶ କରିଥିଲେ ।

ବିଶିଷ୍ଟ ସାମ୍ବାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଡା. ପ୍ରଧାନଙ୍କ ସ୍ମୃତିଚାରଣ କରିବା ସହ କହିଥିଲେ ଯେ ୮୪ ବର୍ଷର ସଫଳ କାହାଣୀର ନାୟକ ଆରପାରିକୁ ଚାଲିଯିବା ଅସ୍ୱାଭାବିକ ନୁହେଁ । କିନ୍ତୁ ଏଭଳି ସଫଳ କାହାଣୀକୁ ଉତ୍ସବ ଭାବରେ ପାଳନ କରିବାର ଅଭ୍ୟାସ ଆମ ମଧ୍ୟରେ ରହିବା ଦରକାର । ଡା. ପ୍ରଧାନଙ୍କ ଶୋକସଭାକୁ ଏକ ଉତ୍ସବ ଭାବରେ ପାଳନ କରିବା ଦରକାର । ଦେବେନ୍ଦ୍ର ବାବୁଙ୍କୁ ମୁଁ ଜଣେ ଦୁର୍ଲଭ ମଣିଷ ବୋଲି ଭାବେ । ସରଳ, ନିଷ୍କପଟ, ନମ୍ର ଏବଂ ଅହଙ୍କାର ନଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଡା. ପ୍ରଧାନ । ସେ ଇର୍ଷଣୀୟ ସଫଳତା ହାସଲ କରିଥିଲେ । ତେବେ ଶେଷରେ ଡା. ପ୍ରଧାନ ଯେଉଁ ସଫଳତା ହାସଲ କଲେ, ଯେ କୌଣସି ଯୁବପିଢି ପାଇଁ ଧୌର୍ଯ୍ୟର ପ୍ରମାଣ ବା ଆଲୋକବର୍ତ୍ତିକା କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜନେତା ଭାବରେ ତାଙ୍କର ସଫଳତା ଅନେକ । ରାଜପଥ କ୍ଷେତ୍ରରେ ତାଙ୍କର ଅବଦାନ ଅନେକ । ଡା. ପ୍ରଧାନ ବାରମ୍ବାର ରାଜ୍ୟ ବିଜେପିର ସଭାପତି ହୋଇଥିଲେ । ସଭାପତି ହେବା ପରେ ସହକର୍ମୀ ଭାବରେ ସାଧାରଣ ସମ୍ପାଦକ ହିସାବରେ କାମ କରିବା ପାଇଁ ସଂକୋଚ ପ୍ରକାଶ କରୁନଥିଲେ । ସ୍ୱୟଂସେବୀ ଭାବେ ସଂଗଠନ କାମ ପ୍ରତି ସେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ଥିଲେ ବୋଲି ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିଥିଲେ ।

ଏହି ସଭାରେ ରଙ୍ଗବତୀ ଗୀତର ରଚୟିତା ତଥା ଶ୍ରୀ ଗୌନ୍ତିଆ କହିଥିଲେ ଯେ ସେ ସତରେ ଜଣେ ସିଦ୍ଧପୁରୁଷ । ଆମେ ଜଣେ ସୁନା ପୁଅଙ୍କୁ ହରାଇଛୁ । ସରଳ ଓ ଅମାୟିକ ବ୍ୟକ୍ତିତ୍ୱ ଥିଲା ତାଙ୍କର ପରିଚୟ । ଆଜିକାଲିର ନେତାମାନେ ତାଙ୍କ ପଥକୁ ଅନୁକରଣ କରିବା ଉଚିତ୍ । ଡା ଦେବେନ୍ଦ୍ର ପ୍ରଧାନ ସମ୍ବଲପୁର ଅଞ୍ଚଳର କଳା, ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀକୁ ବହୁତ ଭଲ ପାଉଥିଲେ । ସମ୍ବଲପୁରୀ ଭାଷାରେ ଲେଖିବା ପାଇଁ ସେ ମୋତେ ଉତ୍ସାହିତ କରିଥିଲେ । ତାଙ୍କ ଭଳି ନେତୃତ୍ୱ ସେଭଳି ପରିବାରରେ ପୁର୍ନଜନ୍ମ ହେବା ଦରକାର । ଓଡ଼ିଶାକୁ ସେ ଏତେ ସ୍ନେହ କରୁଥିଲେ ଯେ, ଯଦି ଆମେ ତାଙ୍କୁ ଡାକିବା ସେ ସ୍ୱର୍ଗରୁ ଓହ୍ଲାଇ ଆସିବେ, ଏପରି ବିଶ୍ୱାସ ଆମର ରହିଛି ବୋଲି କହିଛନ୍ତି ଶ୍ରୀ ଗୌନ୍ତିଆ।