You are currently viewing ସାନଖେମୁଣ୍ଡିରେ ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ଶିବିର
ସାନଖେମୁଣ୍ଡିରେ ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ଶିବିର

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ରଙ୍କ ଅଧ୍ଯକ୍ଷତାରେ ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ଵ ଓ ସ୍ବଚ୍ଛତା ସମିତି ଆନୁକୁଲ୍ୟରେ ଆୟୋଜିତ ଶିବିରକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ସହକାରୀ ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ବେହେରା , ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ରନାଥ ମଲାଣ , ବ୍ଲକ ସାମାଜିକ ସମୀକ୍ଷକ ମନୋଜ ବିଷୋୟୀ , ଏପିଓ ଅରୁଣ କୁମାର ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହିଥିଲେ । ମୃତ୍ତିକା ସଂରକ୍ଷଣ ବିଭାଗର କାର୍ଯ୍ୟକାରିତାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ପ୍ରକାରେ ନିର୍ଦ୍ଧିଷ୍ଟ ପଞ୍ଚାୟତର ଗ୍ରାମ ଶେଷରେ ଥିବା ବଡ଼ ପୋଖରୀ ମଝିରେ ଆଡ଼ିବନ୍ଧରେ ଦୁଇ ଭାଗ କରି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଅନ୍ତର୍ଭୁକ୍ତ କରି ବିଭାଗ କର୍ମଚାରୀ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ମଧ୍ୟ ଶୁଣିବାକୁ ମିଳିଥିଲା ।

ବ୍ଲକ ସ୍ତରରେ ନିଯୁକ୍ତ ଥିବା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିମ୍ବା ସଂଯୋଜକ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ବଦଳରେ ଉପସ୍ଥିତ ଥିବା ବିଭାଗୀୟ କର୍ମଚାରୀ ଶିବରାମ ବେହେରାଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଅନ୍ୟ କ୍ରମରେ ବ୍ଲକ ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତର ଆର୍ଥିକ ବର୍ଷ ୨୦୨୩/୨୪ ଅକ୍ଟୋବର ୧, ୨୦୨୨ ଠାରୁ ମାର୍କ ୩୧ -୨୦୨୩ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣୀ ହୋଇଥିଲା ।

ପଞ୍ଚାୟତର ବିଭିନ୍ନ ବିଭାଗର ଦାୟିତ୍ବରେ ରହିଥିବା ଅଧିକାରୀମାନେ ଉକ୍ତ ସମୟରେ କେତେ ପରିମାଣର ପ୍ରକଳ୍ପ ଅନୁମୋଦନ ହୋଇଛି , ସେଥିରୁ କେତେ କାର୍ଯ୍ୟକାରୀ ହୋଇପାରିଛି ତାହା ଜନଶୁଣାଣୀରେ ପର୍ଯ୍ୟାଲୋଚନା ହୋଇଥିଲା । ପ୍ରଦତ୍ତ ତଥ୍ୟ ପ୍ରକାରେ ବ୍ଳକ ଅଧିନସ୍ଥ ପଞ୍ଚାୟତ ଗୁଡ଼ିକରେ ଅକ୍ଟୋବର ୨୦୨୨ ଠାରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୯ ଲକ୍ଷ ୪୮ ହଜାର ୫୬୩ ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଥିବା ବେଳେ ସେଥିମଧ୍ୟରୁ ୧୭ ଲକ୍ଷ ୫୬ ହଜାର ୮୧୩ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ଦର୍ଶାଯାଇଥିଲା । ଏହି ସମୟରେ ୩୦୭୫ ପ୍ରକଳ୍ପ ସ୍ଥିରୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ବ୍ୟକ୍ତିଗତ ୧୨୭୦ , ସାମୁହିକ ୬୪୩ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିବା , ଏବଂ ୧୧୬୨ ଗୋଟି ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ଜଣାଯାଇଥିଲା ।

ସଂପୃକ୍ତ ପ୍ରକଳ୍ପ ଗୁଡିକରେ ୭୬କୋଟି ୪୦ ଲକ୍ଷ ଖର୍ଚ୍ଚ ଯୋଜନା ବ୍ୟୟ ଅଟକଳ ଲକ୍ଷ୍ୟ ରହିଥିବା ବେଳେ ୪୩ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଜଣାପଡ଼ିଛି । ୬୨୮୧ ଜଣ ହିତାଧିକାରୀଙ୍କୁ ୧୦୦ ଦିନର କାମ ଦିଆଯାଇଛି । ବ୍ଲକରେ ସର୍ବମୋଟ ଜବ କାର୍ଡଧାରୀ ୨୬୧୨୨ ରହିଥିବା ବେଳେ ସେଥିମଧ୍ୟରୁ ୨୫୧୨୨ ହିତାଧିକାରୀଙ୍କୁ ଶ୍ରମ ନିଯୁକ୍ତି ଦିଆଯାଇଛି ।

ମାହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟର ସଫଳତାକୁ ନେଇ ଜନଶୁଣାଣୀ ଶିବିରରେ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ୪ ଟି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ବନ ବିଭାଗ ଫରେଷ୍ଟର ଅରୁଣ କୁମାର ଦାସ ସମସ୍ତ ଯନ୍ତ୍ରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ପଞ୍ଚାୟତ ସରପଞ୍ଚ , ସମିତି ସଭ୍ୟ/ ସଭ୍ୟା ଜନପ୍ରତିନିଧି ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ କିରଣ କୁମାର ବେହେରା