ଭଞ୍ଜନଗର,ତା ୧-୪-୨୦୨୫-( ରିପୋର୍ଟ ପପୁ ପ୍ରଧାନ) ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଭଞ୍ଜନଗର ସଦର ମହକୁମାରେ ମଙ୍ଗଳବାର ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହା ସହ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନ ର ନେତୃତ୍ୱ ନେଇଥିବା ମହାପୁରୁଷଙ୍କ ସ୍ମୃତି ଚାରଣ କରିବା ସହ ଘୁମୁସର ର ଅବଦାନ କୁ ମନେ ପକାଇଥିଲେ।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବୀର ଚକରା ବିଷୋୟୀ ଙ୍କ ପାଇଁ ଆଜି ଏହି ଘୁମୁସର ମାଟି ଗର୍ବିତ ବୋଲି ବିଧାୟକ ଶ୍ରୀ ନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରା ଧ୍ୟାପକ ଦାମୋଦର ଷଡ଼ଙ୍ଗୀ ଯୋଗଦେଇ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମୁଖ୍ୟ ଭୁମିକା ଲିଭାଇଥିବା ଉତ୍କଳଗୌରବ ମଧୁସୂଦନ ଦାସ,ଉତ୍କଳମଣି ଗୋପବନ୍ଧୁ ଦାସ,ବ୍ୟାସକବି ଫକୀର ମୋହନ ସେନାପତି, କର୍ମବୀର ଗୌରୀଶଙ୍କର ରାୟ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି,ମୟୂରଭଞ୍ଜ ଶାସକ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ,ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ମହାପୁରୁଷ ଙ୍କ ଅବଦାନ ବାବଦରେ କହିଥିଲେ।ଏହା ସହ ଓଡିଶା କିପରି ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହେଲା ଓ ମାନ୍ୟତା ପାଇଲା ତାହା ଉପରେ ତନ୍ନତନ୍ନ କରି ଆଲୋଚନା କରିଥିଲେ।


ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଯୋଗଦେଇ ସେହି ସମୟରେ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ଥିବା ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକ କିଭଳି ଥିଲା ଓ ଭଞ୍ଜନଗର (ଘୁମୁସର)ରେ ହୋଇଥିବା ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ବୈଠକ ବାବଦରେ କହିଥିଲେ।


ଏହା ସହ ସରକାରଙ୍କ ସ୍ବଚ୍ଛ ଓ ପ୍ରଭାବି ଶାସନ ସହ ଜନସାଧାରଣଙ୍କ ସହଯୋଗ ଫଳରେ ୨୦୩୬ ସ୍ବତନ୍ତ୍ର ଓଡିଶା ଗଠନର ଶତବାର୍ଷିକୀ ପାଳନ ସମୟରେ ଓଡିଶା ଏକ ବିକଶିତ ରାଜ୍ୟରେ ପରିଗଣିତ ହୋଇଥିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା ନିଜ ବକ୍ତବ୍ୟ ରେ କହିଥିଲେ।ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଏନଏସି ଅଧକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର, ବି.ଡ଼ି.ଓ ଶ୍ରୀ ପୁର୍ଣ୍ଣଚନ୍ଦ୍ର ପାଢୀ, ତହସିଲଦାର ଶ୍ରୀ ଅବିନାଶ ମହାର,ବ୍ଲକ ଅଧ୍ୟକ୍ଷ ଶ୍ରୀ ନରିସଭା ନାୟକ ପ୍ରମୁଖ ଯୋଗଦେଇ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ଘୁମୁସର ର ଅବଦାନ ବାବଦରେ କହିଥିଲେ।ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଦେଶାତ୍ମ ସଂଗୀତ ପ୍ରତିଯୋଗୀତା ଏବଂ ତର୍କ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।


ପ୍ରାତଃ ସମୟରେ ସ୍ଥାନୀୟ ବିଧାୟକ ଶ୍ରୀ ନାୟକ, ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଭଞ୍ଜନଗର ସହରରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହା ସହ ଓଡିଶା ବରପୁତ୍ରମାନଙ୍କ ଫଟୋ ଥାଇ ରଥ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଉକ୍ତ ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ପରିଚାଳନା କରିଥିବା ବେଳେ ବିଭାଗୀୟ ବରିଷ୍ଠ କର୍ମଚାରୀ ଶ୍ରୀ ପ୍ରଦୀପ କୁମାର ପାତ୍ର ଓ ତାରିଣୀ ସାହୁ ସହଯୋଗ କରିଥିଲେ।



