You are currently viewing ଖଲିଙ୍ଗିରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା !ଅଜାଘରକୁ ଯାତ୍ରା ଦେଖିବାକୁ ଯାଇଥିଲା ଶିଶୁ କନ୍ୟାପୋଲିସ ଓ ସାଇଣ୍ଟିଫିକ ଟିମ୍ ର ତଦନ୍ତ
ଖଲିଙ୍ଗିରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା !ଅଜାଘରକୁ ଯାତ୍ରା ଦେଖିବାକୁ ଯାଇଥିଲା ଶିଶୁ କନ୍ୟାପୋଲିସ ଓ ସାଇଣ୍ଟିଫିକ ଟିମ୍ ର ତଦନ୍ତ

ସାନଖେମୁଣ୍ଡି ୨୬/୪ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ଏକ ଅଭାବନୀୟ ଲୋମଟାଙ୍କୁରା ଘଟଣା ଘଟିଛି। ଦୁନିଆଁ କୁ ଚିହ୍ନି ନଥିବା ମା ର ପଣତ କୋଳ କୁ ଛାଡ଼ିନଥିବା ଜଣେ ୪ ବର୍ଷର ନିରୀହ ନିଷ୍ପାପ ଶିଶୁ କନ୍ୟା ବର୍ବର ନିଷ୍ଠୁରତାର ଶିକାର ହୋଇଛି। ୪ ବର୍ଷର ଶିଶୁ କନ୍ୟା କୁ ଦୁଷ୍କର୍ମ ଓ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। କାମୁକ ରାକ୍ଷସ ର କାମୁକତା ଆଗରେ ବାଳିକା ସମୃଦ୍ଧି, ନିର୍ଭୟା କଢ଼ି, ଶିଶୁ କନ୍ୟା ରତ୍ନ, ବେଟି ବଚାଓ ବେଟି ପଢ଼ାଓ ଭଳି ସାମାଜିକ ସଚେତନତା ଗୌଣ ହୋଇଛି। ଖଲିଙ୍ଗି ଗ୍ରାମରେ ଚାଲିଥିବା ଯାତ୍ରା ଦେଖିବାକୁ ଅଜା ଘରକୁ ଯାଇଥିବା ୪ ବର୍ଷର ଶିଶୁ କନ୍ୟା ବର୍ବର ନିଷ୍ଠୁର ଭାବେ ଦୁଷ୍କର୍ମ ଓ ବଳାତ୍କାର ପରେ ହତ୍ୟାର ଶିକାର ହୋଇ ଚିରନିଦ୍ରାରେ ମହାଯାତ୍ରା ଲଭିଛି।

ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ସପ୍ତାହବ୍ୟାପୀ ଚାଲିଥିବା ଯାତ୍ରା ଉତ୍ସବ ଦେଖିବାକୁ ଜୟନଗର ଗ୍ରାମର ଅଶୋକକୁମାର ସ୍ବାଇଁଙ୍କ ଶିଶୁକନ୍ୟା ନିଜ ମା ଙ୍କ ସହ ଯାଇଥିଲେ । ଚନ୍ଦନନଗର ସ୍ଥିତ ଅଜା ରାଧା ନାହାକଙ୍କ ଘରେ ରହି ପରିବାର ସାଙ୍ଗ ସାଥିଙ୍କ ସହ ଧୂଳି ଖେଳରେ ଖୁସି ସାଉଁଟୁ ଥିଲେ। ଯାତ୍ରା ଚହଳ ଗହଳି ଚାଲିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଦାଣ୍ଡରେ ହସ ଖେଳରେ ବୁଲୁଥିଲା ପରେ ଘରକୁ ଫେରିନଥିବାରୁ ପରିବାରରେ ଚହଳ ପଡ଼ିଥିଲା। ପରିବାର ଆତ୍ମୀୟ ସ୍ୱଜନ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କଲେ।

ଯାତ୍ରା କମିଟି ପକ୍ଷରୁ ମଧ୍ୟ ଡ଼ାକବାଜି ଯୋଗେ ପିଲାଟିର ସନ୍ଧାନ ପାଇଁ ଘୋଷଣା କରାଗଲା। ପାଟପୁର ଥାନା ପୋଲିସ କୁ ମଧ୍ୟ ଖବର ଦିଆଗଲା। ଶେଷରେ ଶୁକ୍ରବାର ବିଳମ୍ବିତ ରାତ୍ରି ପ୍ରାୟ ୧୨ ଟା ସମୟରେ ଚନ୍ଦନ ନଗର ସାହିରେ ଗ୍ରାମଦେବତୀ ମନ୍ଦିର ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣାଧିନ ଏକ ଗୃହରୁ ଶିଶୁକନ୍ୟାର ଉଲଗ୍ନ ମୃତଦେହକୁ ଉଦ୍ଧାର କରାଯାଇଥିଲା। ସଙ୍ଗେ ସଙ୍ଗେ ଆଡ଼ପଡ଼ା ଗୋଷ୍ଠିସ୍ୱାସ୍ଥ୍ୟ କୁ ନିଆଯାଇଥିବା ବେଳେ ଡ଼ାକ୍ତର ସେଠାରେ ଶିଶୁକନ୍ୟା କୁ ମୃତ ଘୋଷଣା କରିଥିଲେ। ଗଞ୍ଜାମ ଏସପି ଶୁଭେନ୍ଦୁକୁମାର ପାତ୍ର ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ପାଟପୁର ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା ଚମାଖଣ୍ଡି ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଶେରଗଡ଼ ଥାନା ଆଇଆଇସି ବିରେନ୍ଦ୍ର ଶିଆଳ ପ୍ରମୁଖ ପହଞ୍ଚି ଆନୁଷଙ୍ଗିକ ତଦନ୍ତ କରିଛନ୍ତି। ଛତ୍ରପୁରରୁ ଆସିଥିବା ଫୋରେନସିକ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହ ତଦନ୍ତ କରିଛନ୍ତି।

ମୃତଦେହ ଉଦ୍ଧାର ହୋଇଥିବା ଘର ଓ ପାରିପାର୍ଶ୍ବିକ ସ୍ଥିତି ଓ ଉଦ୍ଧାର ହୋଇଥିବା ସାମଗ୍ରୀ ଏବଂ ପରିବାରବର୍ଗଙ୍କ ଅଭିଯୋଗ ନେଇ ଶିଶୁ କନ୍ୟାକୁ ପ୍ରଲୋଭିତ କରି ଦୁଷ୍କର୍ମ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଜେନା ସକାଳେ ଖଲିଙ୍ଗିରେ ପହଞ୍ଚି ମୃତ ଶିଶୁ କନ୍ୟା ର ପରିବାରଙ୍କୁ ସମବେଦନା ଜଣାଇବା ସହ ନିରୀହ ନିଷ୍ପାପ ଶିଶୁକନ୍ୟା କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଘଟଣା ସମ୍ପର୍କରେ ପୋଲିସ ସହ ଆଲୋଚନା କରିବା ସହ ଦୋଷୀକୁ ଫାଶୀ ଦଣ୍ଡ ଦେବା ଜରୁରୀ ବୋଲି ପ୍ରତିକ୍ରିୟାବ୍ୟକ୍ତ ଏବଂ ପୋଲିସ କୁ ସହାୟତା କରିବାକୁ ଗ୍ରାମବାସୀଙ୍କୁ ଅପିଲ କରିଛନ୍ତି। ଗ୍ରାମରେ ଯାତ୍ରା ଗହଳି ଚାଲିଥିବା ବେଳେ କେଉଁ ପରିସ୍ଥିତିରେ ଶିଶୁକନ୍ୟା ଟି ଦୁଷ୍କର୍ମ ଓ ହତ୍ୟାର ଶିକାର ହେଲା ତାହା ସମସ୍ତଙ୍କୁ ଚକିତ କରିଛି। ଶୀଘ୍ର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ଓ ହତ୍ୟା ଅଭିଯୁକ୍ତ କୁ ଗିରଫ ପାଇଁ ସବୁ ମହଲ ରୁ ଦାବୀ ହେଉଛି।

ରିପୋର୍ଟ ବିନାୟକ ଦାସ