You are currently viewing ବଡଗୋଚ୍ଛା ପାଇଁ ମୋବାଇଲ ନେଟୱାର୍କ ସାତ ସପନ
ବଡଗୋଚ୍ଛା ପାଇଁ ମୋବାଇଲ ନେଟୱାର୍କ ସାତ ସପନ

ସରକାର ଉପାନ୍ତ ଅଞ୍ଚଳର ବିକାଶ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ସେବା ପର୍ଯ୍ୟନ୍ତ ସବୁ କିଛି ଯୋଗାଇଦେଉଛନ୍ତି | କିନ୍ତୁ ଆଜିବି ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଳକ ରେ ଥିବା ଆଦିବାସୀ ଅଧୁଷିତ ଉପାନ୍ତ ଅଞ୍ଚଳବଡଗୋଚ୍ଛା ପଞ୍ଚାୟତ ରେ ବହୁ ସମୟରେ ଜରୁରୀକାଳୀନ ସେବା ପହଂଚିବା ନେଇ ବିଳମ୍ବ ହେଉଛି, କାରଣ ସେହି ପଞ୍ଚାୟତ ରେ ମୋବାଇଲ ଆସିବା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ମୋବାଇଲ ନେଟୱାର୍କ ପହଞ୍ଚି ପାରିନି ଯାହା କୁ ନେଇ ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରୁଛନ୍ତି।
ବନ ପାହାଡ଼ ଘେରା ଆଦିବାସୀ ଅଧୁଷିତ ଉପାନ୍ତ ଅଞ୍ଚଳ ବଡଗୋଚ୍ଛା ଗ୍ରାମ ପଞ୍ଚାୟତ, ଯୁଆଡେ ଦେଖିବେ ବନ ପାହାଡ଼ ସହ ଟିଣ ଛପର ଘର। ଯେଉଁ ଅଞ୍ଚଳ କି ଆଜି ର ଡିଜିଟାଲ ଦୁନିଆ ରୁ ରହିଛି ବହୁତ ଦୂରରେ, କାରଣ ଏହିଠି ପହଞ୍ଚି ପାରୁନି ମୋବାଇଲ ନେଟୱାର୍କ | ମୋବାଇଲ ନେଟୱର୍କ ପାଇଁ ଦୁଇ ରୁ ତିନି କିଲୋମିଟର ପାହାଡ଼ ଚଢି ଗଛଉପରକୁ ଚଢି ନେଟୱାର୍କ ଖୋଯିବାକୁ ପଡୁଛି | ପଞ୍ଚାୟତ ସମିତି ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ରହିଛି ଏହି ପଞ୍ଚାୟତ। ଏହି ପଞ୍ଚାୟତ ରେ ସାନଗୋଚ୍ଛା, ପିରିଡିବନ୍ଧ, ସାଲିମାଗୋଛା, ରାଜିପଦା, ମିନାଙ୍ଗୀ ଭଳି 18 ଟି ଗାଁ ରହିଛି।5000 ରୁ ଅଧିକ ଆଦିବାସୀ ଲୋକେ ଏଠାରେ ବସବାସ କରୁଛନ୍ତି।ଯୁବପିଢ଼ି ଙ୍କ ପାଖରେ ଆଣ୍ଡ୍ରୋଏଡ଼ ମୋବାଇଲ ଅଛି ହେଲେ ନେଟୱାର୍କ ନଥିବାରୁ ସେମାନେ କୌଣସି ଡିଜିଟାଲ କାମ କରିପାରୁନାହାନ୍ତି| ଯୋଉଠି ଯୋଗାଯୋଗ କରିବାକୁ ପାହାଡ଼ ଚଢିବାକୁ ପଢୁଛି ସେଠି ଡିଜିଟାଲ କାମ ଆଶା କରିବା ଆକାଶ ର କଏଁଆ ଚିଲିକାର ମାଛ ବନ୍ଧୁ ବାନ୍ଧିବା ଭଳି ମନେହେଉଛି | ଡିଜିଟାଲ ଇଣ୍ଡିଆ ର ଡିଜିଟାଲ କାମ ଦୂରରେ ଥାଉ ନେଟୱାର୍କ ନଥିବାରୁ ବହୁ ସମୟରେ ଜରୁରୀ କାଳୀନ ସେବା ଆମ୍ବୁଲାନ୍ସ, ଅଗ୍ନିଶମ, ପୋଲିସ ସେବା ପାଇବାରୁ ବି ବଞ୍ଚିତ ରହୁଛନ୍ତି ଅଞ୍ଚଳ ବାସି।ବ୍ୟାଙ୍କିଙ୍ଗ ସେବା ପାଇବା ପାଇଁ ଏହି ପଂଚାୟତ ର ଲୋକଙ୍କୁ 30 କିଲୋମିଟର ଦୂର ବଡ଼ଗଡ଼ କୁ ଯିବାକୁ ପଡୁଥିବା ବେଳେ, ଜରୁରୀ କାଳୀନ ସେବା ପହଁଚିଲା ଆଉ କିଛି ହାତରେ ନଥାଏ |

ଅଞ୍ଚଳ ବାସି ଙ୍କ ବାର ବାର ଅଭିଯୋଗ ପରେ ସେଠି ଭାରତ ସରକାର ଭାରତ ସଂଚାର ନିଗମ ଲିମିଟେଡ଼ ଦ୍ୱାରା ଟାୱାର ବସାଇଲେ କିନ୍ତୁ ପରିତାପ ର ବିଷୟ ଟାୱାର ବସିବାର ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ| ସ୍ଥାପିତ ଟାୱାର କୁ କାର୍ଯ୍ୟକ୍ଷମ କରାଇବା ସହ ନେଟୱାର୍କ ସେବା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳ ବାସି ଡବଲ ଇଂଜିନ ସରକାର ପାଖରେ ଦାବି ରଖିଛନ୍ତି | ତେବେ ଦେଖିବାକୁ ବାକି ରହିଲା କେବେ ସରକାର ଙ୍କ ବଡଗୋଚ୍ଛା ପ୍ରତି ଶୁଭ ଦୃଷ୍ଟି ପଡୁଛି ଓ ବଡଗୋଚ୍ଛା କେବେ ଡିଜିଟାଲ ଇଣ୍ଡିଆ ସହ ଯୋଡି ହେଉଛି |