ବିନା ଔଷଧରେ ଚିକିତ୍ସା କିପରି ସମ୍ଭବ: ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର, ତା.୧୬.୧୦.୨୦୨୫ରିଖ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟରେ ଚିକିତ୍ସା ସେବା ନାମକୁ ମାତ୍ର l ଏଠି ନା ଅଛି ଔଷଧ, ନା ଅଛି ଚିକିତ୍ସା l ପଚାରିଲେ ଉତ୍ତର ମିଳୁଛି ଷ୍ଟାଫ ସର୍ଟେଜ୍ l ଆଜି ସ୍ଥାନୀୟ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇ ବହୁ ଚିକିତ୍ସା ଜନିତ ଅବହେଳା ଦେଖିବାକୁ ପାଇଲେ l ଯେଉଁ ସ୍ଥାନରେ ବିଭିନ୍ନ ପଶୁ ପଡ଼ିରହି ଚିକିତ୍ସା ହେଉଛନ୍ତି ସେଠାର ବାଲି, ମାଟି ନିୟମିତ ଭାବେ ବାହାର କରିବା ନିୟମ ରହିଥିଲେ ବି ବର୍ଷାଧିକାଳରୁ ତାହା ନ କରି ଏକ ଅସ୍ବାସ୍ଥ୍ୟ ଓ ସଂକ୍ରମଣର ପରିବେଶ ସୃଷ୍ଟି ହୋଇଛି l ପ୍ରତିଦିନ ସଫା ସୁତରା କରାଯାଉନାହିଁ କି ମର ଶରୀର ବାହାର କରାଯାଉନାହିଁ l ମହାନଗର ନିଗମ ମର ଶରୀର ବାହାର କରିବା ନିୟମ ରହିଥିଲେ ବି ମର ଶରୀର ଦୀର୍ଘ ଘଣ୍ଟା ପଚି ସଡି ପୋକ ହେବା ପରେ ହସ୍ପିଟାଲ ପରିସରରେ ହିଁ ଶରୀର ଟି ପୋତି ଦିଆ ଯାଉଛି l ଏଭଳି ନାନା ଅସ୍ୱାସ୍ଥ୍ୟକର ଅବ୍ୟବସ୍ଥା ମଧ୍ୟରେ ବ୍ରହ୍ମପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଟି ଚାଲିଛି l ତିନି ମାସରୁ କୌଣସି ପ୍ରକାର ଔଷଧ ସରକାର ଯୋଗାଉନାହାଁନ୍ତି ବୋଲି ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଅଞ୍ଜନ କୁମାର ଦାଶ ସ୍ପଷ୍ଟୀକରଣ ଦେଉଥିବାବେଳେ ବିନା ଔଷଧ,ଇଞ୍ଜେକସନ, ସାଲାଇନ୍,ଭେକ୍ସିନ ରେ ପଶୁ ଚିକିତ୍ସା କିପରି ସମ୍ଭବ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାୟକ ତଥା ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ପ୍ରଶ୍ନ କରିଛି l ପୂର୍ଣ୍ଣ କାର୍ଯ୍ୟ କ୍ଷମ ଅନ୍ତଃବିଭାଗ ଖୋଲିବା,୨୪ ଘଣ୍ଟା ଆମ୍ବୁଲାନ୍ସ ସେବା ଦେବା, ଅଧିକ ଆଉ ଦୁଇଟି ଆମ୍ବୁଲାନ୍ସ ଯୋଗାଇବା, ଚିକିତ୍ସା ବେଳେ ଅନୁପସ୍ଥିତ ରହୁଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା, ହସ୍ପିଟାଲରେ ସିସି କ୍ୟାମେରା ସଂଯୋଗ କରିବା,ସମସ୍ତ ଜରୁରୀ ଔଷଧ ତୁରନ୍ତ ଯୋଗାଇବା, ପ୍ରତିଦିନ ଚିକିତ୍ସାଳୟକୁ ସିଡିଭିଓ ପରିଦର୍ଶନରେ ଯିବା, ଦୁର୍ଘଟଣାଗ୍ରସ୍ତ ପଶୁ ଜନ୍ତୁଙ୍କ ଜରୁରୀ ଚିକିତ୍ସା, ଔଷଧ ଓ ତାଙ୍କ ପାଇଁ ଖାଦ୍ୟ ଯୋଗାଇବା ଆଦି ବିଭିନ୍ନ ଦାବିନେଇ ମଞ୍ଚ ଆଜି ପ୍ରଥମେ ହସ୍ପିଟାଲ ପରିଦର୍ଶନ କରି ଅନୁଧ୍ୟାନ କଲା ପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ବିକ୍ଷୋଭ କରି ସିଡିଭିଓଙ୍କ ସହ ଆଲୋଚନା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରଯାଇଥିଲା l ଏହି ପ୍ରତିନିଧି ଦଳରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂଗଠନିକ ସମ୍ପାଦକ ମନୋଜ କୁମାର ତରାଇଙ୍କ ସହ ଅଲ୍ ଇଣ୍ଡିଆ ଖେତ ମଜଦୂର କିଶାନ ସଭାର ଗଞ୍ଜାମ ଜିଲ୍ଲା ସଭାପତି ଆଇନଜୀବି ଅବନୀ ଗୟା, ସେବା ନିବୃତ ଶିକ୍ଷକ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡଙ୍ଗା, ଶିକ୍ଷକ ସଂଘର ନେତା ଅଶୋକ କୁମାର ଦଳାଇ, ନିହାର ରଞ୍ଜନ ପଣ୍ଡା, ବି . ରାମ ବାବୁ, ବି. ମଣିକାନ୍ତା, ନିକେଶ ପାଣିଗ୍ରାହୀ, ସୀତାରାମ ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ଆକାଶ ପାତ୍ର, ଗୋବିନ୍ଦ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ମଞ୍ଚର ଦାବି ପ୍ରକାରେ ସମସ୍ୟା ଗୁଡ଼ିକର ଅନୁଧ୍ୟାନ ସକାଶେ ପ୍ରତି ସୋମବାର ସନ୍ଧ୍ୟା ୬ ଘଣ୍ଟାରେ ପଶୁ ଚିକିତ୍ସାଳୟଠାରେ ଆଲୋଚନା କରାଯିବ ବୋଲି ସିଡିଭିଓ ଶ୍ରୀ ଦାଶ ପ୍ରତିନିଧି ଦଳକୁ ଆଶ୍ୱାସନା ଦେଇଛନ୍ତି l