ପୁରୀ,୪/୧୧- ଧର୍ମମାସ କାର୍ତ୍ତିକ । ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣମୀ । ହବିଷ୍ଯାଳୀ ପାଲନ କରୁଥିବା କାର୍ତ୍ତିକ ବ୍ରତର ଶେଷ ଦିନ । ଆଷାଢ କାର୍ତ୍ତିକ ମାର୍ଗଶୀର ଓ ବୈଶାଖ ପ୍ରଭୁ ଗୋବିନ୍ଦଙ୍କ ପ୍ରିୟମାସ । ଶ୍ରୀକ୍ଷେତ୍ରରେ ଥିବା ନରେନ୍ଦ୍ର ପୁଷ୍ପରିଣୀ, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ଶେତ୍ବଗଙ୍ଗା ଓ ମହୋଦଧିରେ ପାହନ୍ତି ସକାଳୁ କଦଳୀ ବାସୁଙ୍ଗା ଡଙ୍ଗା ଭସାଇବା ପରମ୍ପରା ରହିଛି । ଓଡ଼ିଆ ସାଧବ ପୁଅ ସମୁଦ୍ରରେ ନୌବାଣିଜ୍ୟ କରି ସଫଳତା ପାଇଥିଲେ । କାର୍ତ୍ତିକ ପୂର୍ଣ୍ଣମୀରେ ସେମାନେ ନୌବାଣିଜ୍ୟ ଆରମ୍ଭ କରିଥାନ୍ତି । ଏହାକୁ ମନେ ପକାଇବା ପାଇଁ ଉତ୍କଳବାସୀ ମାନେ ଧର୍ମ ଡଙ୍ଗା ଭସାଇଥାନ୍ତି । ଏବେ ପାରମ୍ପରିକ କଦଳୀ ବାସୁଙ୍ଗା ଡଙ୍ଗା କମିବାରେ ଲାଗିଲାଣି । ତଥାପି ପରମ୍ପରା ବଞ୍ଚିଛି । କେତେକ ବ୍ଯକ୍ତି ଗ୍ରାମାଞ୍ଚଳରୁ କଦଳୀଗଛ ହାଣି ତା ଖୋଳପାରେ କାର୍ତ୍ତିକ ନୌକା ତିଆରି କରି ବଡଦାଣ୍ଡ ସମେତ ପୁଷ୍ପରିଣୀ କୂଳରେ ବିକ୍ରି କରୁଛନ୍ତି । ଡଙ୍ଗାରେ ନଡିଆ ଖଡିକାରେ ତୁଳା ଗୁଡାଇ ଘିଅରେ ବୁଡାଇ ଡଙ୍ଗା ମଝିରେ ଖୋସାଯାଏ । ଡଙ୍ଗାରେ ପାନ,ଗୁଆ ଯବଧାନ,ଭୋଗ ଥୋଇ ପୁଷ୍ପରିଣୀ କୂଳରେ ଅକାମା ବୋଇ ପାନ ଗୁଆ ଖାଇ ମାସକ ଧରମ ମୋର ପାନ ଗୁଆ ତୋର କହି ଭସାଇବେ । ସବୁ ପୁଷ୍ପରିଣୀରେ ହଜାର ହଜାର କଦଳୀ ବାସୁଙ୍ଗା ଡଙ୍ଗା ଭାସିବ । ଏହି ବିରଳ ଦୃଶ୍ଯ ବରଷକେ ଥରେ ଦେଖିବାକୁ ମିଳେ ।

