You are currently viewing ସୋରଡ଼ା ରେ ଟମାଟ ର ଅଭାବି ବିକ୍ରି, କେଜି ପ୍ରତି ଦୁଇ ରୁ ତିନି ଟଙ୍କା
ସୋରଡ଼ା ରେ ଟମାଟ ର ଅଭାବି ବିକ୍ରି, କେଜି ପ୍ରତି ଦୁଇ ରୁ ତିନି ଟଙ୍କା

ଟମାଟ କ୍ଷେତ ରେ ହଳ ବୁଲେଇଲେ ଚାଷୀ

ଗଞ୍ଜାମ, ( ଲିଟୁ କୁମାର ବିଷୋୟୀ ) ଚାଷ ଜମିରେ ଲାଲ୍ ଟହଟହ ହୋଇ ସୁନ୍ଦର ଦିଶୁଛି ଟମାଟୋ। କିନ୍ତୁ ଏହି ଟମାଟୋ ଏବେ ଅଦରକାରୀ ହୋଇପଡ଼ିଛି। କେଜି ପ୍ରତି ୨ରୁ ୩ ଟଙ୍କାରେ ଚାଷୀଙ୍କ ଠାରୁ ବ୍ୟବସାୟୀମାନେ କିଣୁଛନ୍ତି। ଟମାଟୋ ବିକ୍ରିରେ ଲାଭ ମିଳୁନଥିବା ଯୋଗୁଁ ଚାଷୀ ଟମାଟୋ ନତୋଳି ବାଡ଼ିରେ ଛାଡ଼ି ଦେଉଛନ୍ତି, ତ କିଏ ଟମାଟ କ୍ଷେତ ରେ ହଳ ବୁଲେଇ ଚାଷ କରିଦେଲେଣି ତ ଆଉ କିଏ ଟମାଟ କ୍ଷେତ ରେ ଟମାଟ କୁ ବଳଦ ଖୁଏଇ ଦେଲେଣି ଗଞ୍ଜାମ ସୋରଡ଼ା ବ୍ଳକ ରେ ଟମାଟର ଅଭାବି ବିକ୍ରି । ଚିନ୍ତାରେ ଚାଷୀ ଓ ବ୍ୟବସାୟୀ ।

ଧାର କରଜ କରି ଚାଷ କରିଥିଲା ଚାଷୀ । ହେଲେ ଅମଳ ବେଳେ ଅଭାବି ବିକ୍ରି ଚାଷୀଙ୍କ ପାଇଁ କାଳ ସାଜିଛି । ଯେତିକି ଟଙ୍କା ଖର୍ଚ୍ଚ କରି ଚାଷୀ ଚାଷ କରିଥିଲେ ତାର ମୂଲ୍ୟ ମିଳୁନଥିବାରୁ ଚାଷୀଙ୍କ ସମସ୍ୟା ବଢ଼ିଯାଇଛି ।

ପରିସ୍ଥିତି ଏପରି ହୋଇଛି କିଲୋପିଛା ଟଙ୍କେ ୨ ଟଙ୍କାରେ ଟମାଟୋ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ଚାଷୀ । ଋଷିକୁଲ୍ୟା ନଦୀ କୁଳରେ ଥିବା କୋଟିବାଡି, ବଞ୍ଜର, କୈଳାସ ପୁର, ଗେଞ୍ଜା, ହୁଳୁ ହୁଳା, ବାଖରା, ସାପୁଆ ପଲ୍ଲୀ, ପେରୁଜୁ, ମୁଲିଆ ପଲ୍ଲୀ, ସାମନ୍ତରା ପଲ୍ଲୀ, ପାଙ୍ଗିଆ ପଲ୍ଲୀ ଓ ହାତୀ ଗଡା ଗାଁର ଅଧିକାଂଶ ଚାଷୀ ଟମାଟୋ ଚାଷ ଉପରେ ନିର୍ଭରଶୀଳ । ୧୦୦ ହେକ୍ଟର ରୁ ଅଧିକ ଜମିରେ ଟମାଟୋ ଚାଷ ହୋଇଥିଲା । ଗୋଟିଏ ଗୋଟିଏ ଗଛରେ ପ୍ରାୟ ୧୦ କେଜିରୁ ଅଧିକ ଟମାଟୋ ବି ଫଳିଛି । ହେଲେ ବଜାରରେ ଏବେ ଟମାଟୋ ଦର କମ ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁ ନଥିବାରୁ ଚାଷୀ ଜମିରୁ ଟମାଟୋ ତୋଳୁନାହାନ୍ତି । ଫଳରେ ହେକ୍ଟର ହେକ୍ଟର ଟମାଟୋ ଜମିରେ ପଚିଗଲାଣି |


ପ୍ରତିବର୍ଷ ଟମାଟ ଚାଷୀ ହତାସ ହେଉଛନ୍ତି । ଏତେ ପରିଶ୍ରମ କରି ଏକର ଏକର ଟମାଟ ଚାଷ କରୁଛନ୍ତି । ତା ପରେ ବି ଅମଳ ଟମାଟକୁ ସାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ପ୍ରତିଥର ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ସରକାରଙ୍କ ପାଖରେ ଖବର ବି ପହଞ୍ଚୁଛି । କିନ୍ତୁ ସରକାର ତାଙ୍କ କୁମ୍ଭକର୍ଣ୍ଣ ନିଦରୁ ଉଠୁନାହାନ୍ତି ।

ସୋରଡ଼ା ବ୍ଳକ ରେ ଶିତଳ ଭଣ୍ଡାରର ଅଭାବ କାରଣରୁ ଚାଷୀ କ୍ଷତି ସହୁଛି । ଯଦି ସରକାର ବ୍ଳକ ରେ ଶିତଳ ଭଣ୍ଡାର ଖୋଲନ୍ତେ ତେବେ ଚାଷୀ ଓ ବ୍ୟବସାୟୀ ଟମାଟ ଚାଷରୁ ଭଲ ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି ସ୍ଥାନୀୟ ଚାଷୀ ମତ ପ୍ରକାଶ କରି ସ୍ଥାନୀୟ ବିଧାୟକ ଓ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରୁଛନ୍ତି ।