କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସଡ଼କ ଦୁର୍ଘଟଣା ଆଜିକାଲି ଗୋଟେ ଅତି ସାଧାରଣ କଥା ହେଇଗଲାଣି । ଏଥିପାଇଁ ଜନସାଧାରଣଙ୍କ ପାଖରେ ସଚେତନତାର ବହୁତ ଆବଶ୍ୟକତା ରହିଛି । ବିଭିନ୍ନ କାରଣରୁ ବିଶେଷ କରି ମଦ୍ୟପାନ କରି ଗାଡ଼ି ଚଳେଇବା, ଟ୍ରାଫିକ ନିୟମ ନ ମାନିବା, ହେଲମେଟ ନ ପିନ୍ଧିବା, ତଥା ଦ୍ରୁତ ଗତିରେ ଗାଡ଼ି ଚଲେଇବା ଏଭଳି ଏନେକ କାରଣରୁ ସଡ଼କ ଦୁର୍ଘଟଣା ଘଟେ ଆଉ ସାଧାରଣ ଲୋକଙ୍କ ଅଭାବନୀୟ ମୃତ୍ୟୁ ହୁଏ । ଏଥିପାଇଁ ରାଜ୍ୟ ସ୍ତରରେ ରାଜ୍ୟ ପରିବହନ ବିଭାଗ ସଚେତନତା କାର୍ଯ୍ୟକ୍ରମ ପାଇଁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରେ। ଏହି ସପ୍ତାହ ଶୁକ୍ରବାର ଉଦଯାପିତ ହେଇଛି । ଏହି କାର୍ୟ୍ୟକ୍ରମରେ ସମସ୍ତ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଲ୍ଲେଖନୀୟ ସେବା କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କନ୍ଧମାଳ ଜିଲାର ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳର ହିରୋ ନାୟକ ଏବଂ ନିଳ ମାଧବ ପାତ୍ରଙ୍କୁ ମଧ୍ୟ ରାଜ୍ୟ ସ୍ତରରେ ସମ୍ମାନିତ କରାଯାଇଛି । ଦୀର୍ଘ ତିନି ବର୍ଷ ଧରି ଟିମ୍ ହ୍ୟୁମାନିଟି କନ୍ଧମାଳର ସମସ୍ତ ସଦସ୍ୟ ସଦସ୍ୟା ନିଜକୁ ଏହିଭଳି ଅନେକ କାର୍ଯ୍ୟକ୍ରମରେ ସାମିଲ୍ କରିଛନ୍ତି । ଟିମର ସମସ୍ତ ସଦସ୍ୟ ସଦସ୍ୟା ପ୍ରତି ମୁହୁର୍ତ୍ତରେ ଦୁର୍ଘଟଣା ଖବର ହେଉ କିମ୍ବା ଅନ୍ୟ ଯେ କୌଣସି ବିପଦ ସମୟରେ ଆଖି ପିଛୁଳାକେ ଯାଆନ୍ତି ଉଦ୍ଧାର କରିବା ପାଇଁ । ଆଜି ପର୍ୟ୍ୟନ୍ତ ଅନେକ ଜୀବନ ବଞ୍ଚାଇବାରେ ସୋହାୟକ ହୋଇ ପାରିଛନ୍ତି । ସହରରେ ପ୍ରତି ବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଟିମ୍ ହ୍ୟୁମାନିଟି କନ୍ଧମାଳ ମଧ୍ୟ ଜିଲ୍ଲା ପରିବହନ ବିଭାଗ ସହ ସଚେତନତା କାର୍ୟ୍ୟକ୍ରମରେ ନିଜକୁ ସାମିଲ ରଖିଛନ୍ତି। ଚଳିତ ବର୍ଷ ଆୟୋଜିତ ହେଇଥିବା ଏହି ସପ୍ତାହର ଉଦଯାପନୀ ଉତ୍ସବରେ ସମ୍ମାନିତ ହେଇଥିବା ଏହି ଦୁଇ ବ୍ୟକ୍ତିତ୍ୱ ପାଇଁ ଟିମ୍ ହ୍ୟୁମାନିଟି କନ୍ଧମାଳ ରାଜ୍ୟରେ ପରିଚିତ ହେଇପାରିଛି ବୋଲି ଏହି ସଂଗଠନର ଆବାହକ ଭି.ଲୋକନାଥ ରାଜୁ ମତ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ , ଜିଲ୍ଲାରେ ଟିମ୍ ର ଉପସ୍ଥିତି ପାଇଁ ଅନେକ ଜୀବନ ବଞ୍ଚୁଥିବା ପରିବହନ ବିଭାଗ ଅବଗତ ହେଇ ପାରିଛି ବୋଲି ପ୍ରକାଶ କରିଛନ୍ତି ।
