You are currently viewing ଓଡିଶା-ଆସାମ ବନ୍ଧୁତ୍ପୂର୍ଣ୍ଣ ମହିଳା କ୍ରିକେଟ ମ୍ୟାଚ ଅନୁଷ୍ଠିତ
ଓଡିଶା-ଆସାମ ବନ୍ଧୁତ୍ପୂର୍ଣ୍ଣ ମହିଳା କ୍ରିକେଟ ମ୍ୟାଚ ଅନୁଷ୍ଠିତ

ପୁରୀ, ୨/୧୨- ପୁରୀ ଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମରେ ଆସାମ ଏବଂ ଓଡ଼ିଶାର ବରିଷ୍ଠ ମହିଳା କ୍ରିକେଟରଙ୍କ ମଧ୍ୟରେ ଏକ ରୋମାଞ୍ଚକର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।ଏହି ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ରେ ଓଡ଼ିଶା ମହିଳା କ୍ରିକେଟର ଟିମ ଆସାମ ମହିଳା କ୍ରିକେଟ ଟିମ କୁ ୫ ରନ୍ ରେ ହରାଇ କୃତିତ୍ୱ ହାସଲ କରିଥିଲା । ମହିଳା କ୍ରିକେଟରଙ୍କ ପ୍ରତିଭା ଓ କ୍ରୀଡ଼ା ମନୋଭାବକୁ ଉତ୍ସାହିତ କରିବା ପାଇଁ ଆୟୋଜିତ ଏହି ମ୍ୟାଚ୍ ଦୁଇ ରାଜ୍ୟ ମଧ୍ୟରେ ଥିବା ସୁସମ୍ପର୍କ ସୃଷ୍ଟି କରିଥିଲା। ଏଥିରେ ଓଡ଼ିଶା ର ପ୍ରଥମ ମହିଳା କୋଚ ରଶ୍ମିତା ମହାନ୍ତି କ୍ୟାପଟେନ ଭାବେ ମ୍ୟାଚ୍ ର ଦାୟିତ୍ଵ ଖୁବ୍ ସୁନ୍ଦର ଭାବେ ପରିଚାଳନା କରି ଥିଲେ । ପୁରୀ ରୁ ସୁନୀତା ମିଶ୍ର ,ରାଜଲକ୍ଷ୍ମୀ ଦାସ ଏବଂ ଭାଗ୍ୟଲକ୍ଷ୍ମୀ ଦାସ ଏହି ମ୍ୟାଚ୍ ରେ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରି ଥିଲେ ।
ବରିଷ୍ଠ କ୍ରିକେଟର ମଧୁସ୍ମିତା ମହାପାତ୍ର, ସୁଶ୍ରୀ ରାଜଲକ୍ଷ୍ମୀ ଦାସ ଏବଂ ସୁଶ୍ରୀ ସୁନୀତା ମିଶ୍ରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ‘ଦ ବେଲ୍’ର ସମ୍ପାଦକ ସିଦ୍ଧାର୍ଥ ରାୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରବି ନାରାୟଣ ପ୍ରତିହାରୀ, ଥ୍ରୋ ବଲ୍ ସେକ୍ରେଟାରୀ ଜିତେନ୍ଦ୍ର ନାଥ ଦାସ, ହୋପ୍ ଇଜ ଲାଇଫ ର ଫାଉଣ୍ଡର ସୁରେଶ ନନ୍ଦ ଏବଂ ‘ଉତ୍ସବ’ର ପ୍ରତିଷ୍ଠାତା ରୁଚିମିତ୍ରା ଜଗଦେବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଆୟୋଜକ ଶ୍ରୀମତୀ ମହାପାତ୍ର କହିଥିଲେ ଯେ, “କ୍ରିକେଟ୍ ପ୍ରତି ଥିବା ଆମର ନିଶା ଏବଂ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆମେ ଆସାମ ଓ ଓଡ଼ିଶାର ବରିଷ୍ଠ ମହିଳା କ୍ରିକେଟରଙ୍କୁ ଏକାଠି କରିପାରିଥିବାରୁ ଅତ୍ୟନ୍ତ ଖୁସି।”
ଉଭୟ ଦଳ ଅତ୍ୟନ୍ତ ଉତ୍ସାହର ସହ ଖେଳିଥିଲେ ଏବଂ ଚମତ୍କାର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। କ୍ରୀଡ଼ା କିପରି ଭାବରେ ଭାଇଚାରା ଓ ବନ୍ଧୁତ୍ୱ ସୃଷ୍ଟି କରିପାରେ, ଏହି ମ୍ୟାଚ୍ ତାହାର ଏକ ଜ୍ୱଳନ୍ତ ଉଦାହରଣ ଥିଲା। ଏହି କାର୍ଯ୍ୟକ୍ରମକୁ ‘ଇନର୍ ହ୍ୱିଲ୍ କ୍ଲବ ଅଫ ଶ୍ରୀକ୍ଷେତ୍ର ପୁରୀ’ ସହଯୋଗ କରିଥିଲା ଏବଂ ସଂଗଠନର ଅନେକ ସଦସ୍ୟା ଉପସ୍ଥିତ ରହି ମ୍ୟାଚ୍ ଉପଭୋଗ କରିଥିଲେ।