ଦିଗପହଣ୍ଡି:୪/୧(ଶିବ ପ୍ରସାଦ ରଥ)
ଦିଗପହଣ୍ଡି ଚିକିଟି ମୂଖ୍ୟରାସ୍ତା ଝାଟିପିଟିଆ ନିକଟରେ ରବିବାର ସକାଳୁ ଏକ ଯାତ୍ରୀବାହି କେଣ୍ଟର ସହ ଏକ ଶୁଖୁଆ ବୋଝେଇ ପିକଅପ୍ ଭେନ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏଥିରେ ୨ଚାଳକଙ୍କ ସମେତ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହାତ ହୋଇଥିଲେ। ଘଟଣା ସ୍ଥଳରେ ଦିଗପହଣ୍ଡି ଅଗ୍ନିଶ୍ରମ ବାହୀନି, ପୁଲିସ୍ ଗାଡ଼ି ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ମେଡ଼ିକାଲ୍ ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିଥିଲେ। କିନ୍ତୁ ଅଧିକାଂଶ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ହେତୁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ।

ସୂଚନା ପ୍ରକାରେ ଓଆର୍ ୦୭ ଜେ ୩୩୩୮ ନମ୍ବର ବିଶିଷ୍ଟ ଯାତ୍ରୀବାହି କେଣ୍ଟରଟି ପ୍ରାୟ ୨୫ଜଣ ଯାତ୍ରୀ ବସାଇ ରବିବାର ସକାଳୁ ଦିଗପହଣ୍ଡି ଠାରୁ ଚିକିଟି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଓଡି ୧୭ ଏ ଏଫ୍ ୮୨୦୭ ନମ୍ବର ବିଶିଷ୍ଟ ଏକ ଶୁଖୁଆ ବୋଝେଇ ପିକଅପ୍ ଭେନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ମିନିବସ୍ ସମ୍ମୁଖ ପଟ ଭାଙ୍ଗି ଲୁଚାଚେପା ହୋଇଯାଇଛି ଓ ଭିତରେ ଥିବା ସିଟ ଗୁଡ଼ିକ ମଧ୍ୟ ବାହାରି ଯାଇଛି। ଏଥିସହ ପିକଅପ୍ ଭେନ୍ ଟି ଓଲଟି ପଡ଼ି ବ୍ୟାପକ ନଷ୍ଟ ହୋଇଛି।

ଦୁର୍ଘଟଣା ଗାଡ଼ିରେ ଚିପି ହୋଇ ରହିଥିବା ଗୁରୁତର ଆହାତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା । ଏହାପରେ ସମସ୍ତ ଆହତ ମାନଙ୍କୁ ଦିଗପହଣ୍ଡି ମେଡିକାଲ ଅଣାଯାଇ ପ୍ରାଥମିକ ଚିକିତ୍ସା କରଯାଇଥିଲା। ସେଠାରୁ ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଥିଲା। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଗାଡି ୨ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

