ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ-ଲାଞ୍ଜିବେର୍ଣା ସ୍ଥିତ ଚୂନପଥର ଖଣି କୁନେଇ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ ଦ୍ୱାରା ଲାଞ୍ଜି ବେର୍ଣା ଅଞ୍ଚଳରେ ଜମି ଅଧୀଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ନେଇ ଗ୍ରାମବାସୀମାନେ ଜୋରଦାର ବିରୋଧ ଜଣାଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ସମ୍ବନ୍ଧରେ ନିର୍ଦ୍ଦେଶ ଜାରି ହେବା ପରେ ଲାଞ୍ଜିବେର୍ଣା, କୁକୁଡ଼ା ଓ ବିହାବନ୍ଦ ଅଞ୍ଚଳର ଚାଷ ଜମିଗୁଡ଼ିକୁ ଅଧୂଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଧାନ ଚାଷ ଚାଲିଥିବା ବେଳେ ଏପରି ପ୍ରକ୍ରିୟା ଆରମ୍ଭ ହେବାକୁ ନେଇ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଷୀମାନଙ୍କ କଥା ଅନୁସାରେ ଯେତେବେଳେ ଧାନ ଖେତରେ ଠିଆ ଅଛି ସେତେବେଳେ ଜମି ଅଧୁଗ୍ରହଣ କରିବା ପାଇଁ ପ୍ରଶାସନ ଓ କମ୍ପାନୀ ପକ୍ଷରୁ ଯେପରି ଚେଷ୍ଟା ହେଉଛି ତାହା ଅନ୍ୟାୟ । ସ୍ଥାନୀୟ ଅଞ୍ଚଳର ଲୋକମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ପକ୍ଷରୁ ଷରୁ ଏହି ବିଷୟରେ କୌଣସି ସ୍ପଷ୍ଟ ସୂଚନା କିମ୍ବା ଆଲୋଚନା ହୋଇନାହିଁ।

ଗ୍ରାମସଭାରେ ଏହାକୁ ବିରୋଧ କରିଥିଲେ ମଧ୍ୟ ଜମି ମାପ ଓ ଅଧୁଗ୍ରହଣ ଯୋଜନା ନେଇ ପଦକ୍ଷେପ ନିଆଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଲାଞ୍ଜିବେର୍ଣା, କୁକୁଡ଼ା ଓ ବିହାବନ୍ଦ ର ଶତାଧୂକ ଗ୍ରାମବାସୀ ଏକତ୍ର ହୋଇ ଜମି ଅଧୂଗ୍ରହଣ ବିରୋଧରେ ଧାରଣା

ଦେଇଥିଲେ। ସେମାନଙ୍କ ଦାବି ହେଉଛି ଯେ, ଆମେ ଜୀବିକା ପାଇଁ ଚାଷରେ ନିର୍ଭର । ଏହି ଜମି ନେଲେ ଆମର ଜୀବନ ଅନିଶ୍ଚିତ ହୋଇପଡ଼ିବ। ଗ୍ରାମବାସୀମାନେ ଆଉ କହିଛନ୍ତି ଯେ, ଯଦି ଜିଲ୍ଲା ପ୍ରଶାସନ ଓ କମ୍ପାନୀ ପକ୍ଷରୁ ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିବ, ତେବେ ସେମାନେ ବ୍ୟାପକ ଆନ୍ଦୋଳନ ଆରମ୍ଭ କରିବେ। ଏହି ମାମଲାରେ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପକ୍ଷ ନେଇନାହିଁ।ଧାନ ଚାଷ ମଧ୍ଯରେ ଜମି ଅଧିଗ୍ରହଣ ଅନ୍ୟାୟ ଓ ଅମାନବିକ ପଦକ୍ଷେପ । ଆମେ ଆମ ଜମି, ଆମ ଅଧୁକାର ଓ ଜୀବନ ରକ୍ଷା ପାଇଁ ଶାନ୍ତିପୂର୍ଣ ଭାବେ ଲଢ଼ିବୁ ବୋଲି ଗ୍ରାମବାସୀ କହିଛନ୍ତି ।
ରିପୋର୍ଟ:ଅବଦୁଲ ରଜାକ ଖାନ
