ସୋରଡ଼ା,୨୦/୩/୨୬ : ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅର୍ନ୍ତଗତ ବଡ଼ଗୋଛା ହରିଜନ ସାହିରେ ନିଆଁ ଲାଗି ସର୍ବସ୍ବାନ୍ତ ହୋଇଯାଇଛନ୍ତି ୧୨ ପରିବାର। ଲୋକଙ୍କ କହିବା ଅନୁସାରେ ନିର୍ଦ୍ଧିଷ୍ଟ ଏକ ଘରୁ ମଧ୍ୟାହ୍ନ ସମୟରେ ନିଆଁ ଲାଗିବା ପରେ ନିମିଷକ ମଧ୍ୟରେ ଏହା ଅନ୍ୟ ଘର ଗୁଡ଼ିକୁ ବ୍ୟାପି ଯାଇଥିଲା। ନିଆଁ ଲାଗିଯିବା ପରେ ଗ୍ରାମବାସୀ ଲିଭାଇବା ପାଇଁ ଚେଷ୍ଟା କରିଥଲେ ମଧ୍ଯ ସଫଳ ହୋଇନଥିଲେ।

ପରେ ଖବର ପାଇ ସୋରଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟାର ପରିଶ୍ରମ କରି ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ ପୀଡ଼ିତ ଗ୍ରାମବାସୀଙ୍କ ଲୁଗା ପଟା, ଘରୋଇ ସରଞ୍ଜାମ ସହ ବହୁ ଆସବାବପତ୍ର ଏପରିକି ଟଙ୍କା ମଧ୍ଯ ପୋଡି ନଷ୍ଟ ହୋଇଯାଇଛି।

ଅପରାହ୍ନରେ ସୋରଡା ତହସିଲଦାର ଗୋପାଳ କୃଷ୍ଣ ରାଉତରାୟ ଘଟଣା ସ୍ଥଳରେ ପହଞ୍ଚି ଅସହାୟ ହୋଇ ପଡ଼ିଥିବା ଲୋକଙ୍କୁ ଆଶ୍ଵାସନା ଦେବା ସହ ସରକାରଙ୍କ ତରଫରୁ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି ସରପଞ୍ଚ ତ୍ରିଲୋଚନ ସାହୁ, ଜିଲ୍ଲା ପରିଷଦ ସମରେନ୍ଦ୍ର କୁମାର ସାହୁ, ପୂର୍ବତନ ସରପଞ୍ଚ ଉପସ୍ଥିତ ରହି ଲୋକଙ୍କୁ ନିକଟସ୍ଥ ବିଦ୍ୟାଳୟରେ ଥାଇଥାନ କରି ରନ୍ଧାଖାଦ୍ୟ ଯୋଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ଗାଜଲବାଡି ରାଜସ୍ବ ନିରୀକ୍ଷକ ଅଗ୍ନିକାଣ୍ଡରେ ପୀଡ଼ିତ ଲୋକଙ୍କ ଗଣନା କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ତେବେ ଗଞ୍ଜାମ ଜିଲ୍ଳାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରାଥମିକ ଭାବେ ପ୍ରତ୍ୟେକ ପରିବାରଙ୍କୁନଗଦ ୫ ହଜାର ଟଙ୍କା ସହାୟତା ଦିଆଯାଇଥିବା ସୂଚନା ମିଳିଥିବା ବେଳେ ପଲିଥିନ ଦିଆଯାଇଛି। ପରବର୍ତ୍ତୀ ସମୟରେ ସେମାନଙ୍କୁ ଅନ୍ତୋର୍ଦୟ ଗୃହ ଯୋଗାଇଦେବା ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ଏଭଳି ଘଟଣା ପରେ କୌଣସି ଜନଜୀବନ କ୍ଷୟ ହୋଇ ନ ଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।


