ଚିକିଟୀ — ଏହି ବ୍ଲକ ପରିସର ମଧ୍ୟରେ ସୋମବାର ଦିନ ଠାରୁ ମହାତ୍ମା ଗାନ୍ଧୀଙ୍କ ଫୋଟ ରଖି ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ସରପଞ୍ଚ ଓ ସମିତି ସଭ୍ୟ ଏବଂ ସଭ୍ୟା ମାନେ ବିଡ଼ିଓ ଓ ଏଇ ଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ଅନିୟମିତତା କୁ ନେଇ ୧୧ ଦଫା ଦାବି ଉପରେ ସ୍ଲୋଗାନ ଦେଇ ଧାରଣାରେ ବସିଥିଲେ।ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପରେ ଚିକିଟୀ ପଞ୍ଚାୟତ ସମିତିର ଜନ ପ୍ରତିନିଧି ମାନେ ଶୁକ୍ରବାର ଦିନ ଧାରଣାରୁ ଓହରିଲେ। ଏହି ବ୍ଲକ ପରିସର ମଧ୍ୟରେ ଆଜକୁ ପ୍ରାୟ ପାଞ୍ଚ ଦିନ ଧରି ପ୍ରସାଶନ ଓ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ଲାଗି ରହିଥିବା ବାଦ ବିବାଦର ଅନ୍ତ ଘଟିଲା। ସୂଚନା ଅନୁସାରେ ଗତ ସୋମବାର ଦିନ ଠାରୁ ଚିକିଟୀ ବ୍ଲକ ପ୍ରଶାସନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ ବିଧାୟକଙ୍କ ଚାପରେ ରହି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନପ୍ରତିନିଧି ମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଯୋଗୁଁ ପ୍ରାୟ ୧୧ ଦଫା ଦାବିକୁ ନେଇ ଅଧ୍ୟକ୍ଷଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଧାରଣାର ଚତୁର୍ଥ ଦିନ ତଥା ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଅଭିନାସ କୁମାର ଧାରଣା ସ୍ଥଳରେ ପହଞ୍ଚି ଜନ ପ୍ରତିନିଧି ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ବେଳେ ଉଭୟଙ୍କ ଆଲୋଚନା ବିଫଳ ହୋଇଥିଲା। ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାପାଳ ଏହି ବିଷୟରେ ହସ୍ତକ୍ଷେପ କରି ଧାରଣାରେ ବସିଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ କିଛି ଜନ ପ୍ରତିନିଧି ମାନଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଆଲୋଚନା କରିଥିଲେ। ଏଥି ସହିତ ଜନ ପ୍ରତିନିଧିଙ୍କ ୧୧ ଦଫା ଦାବି ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଶୁକ୍ରବାର ଦିନ ତଥା ଆଜି ଅପରାହ୍ନ ସମୟରେ ଚିକିଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ମିଶ୍ର ଧାରଣା ସ୍ଥଳରେ ପହଞ୍ଚି ପ୍ରସାଶନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପ୍ରସାଶନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ନିର୍ବାଚିତ ଜନପ୍ରତିନିଧି ଧାରଣାରୁ ଓହରିଲେ। ଅନ୍ୟ ପକ୍ଷରେ ଜନ ପ୍ରତିନିଧିଙ୍କ ଧାରଣା ସ୍ଥଳରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ବିଜେଡ଼ି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ,ଚିକିଟୀ ବ୍ଲକ ବିଜେଡି ସଭାପତି ହାରମ୍ଭ ରେଡ୍ଡୀ, ବରିଷ୍ଠ ସଂଗଠକ ସୁରେନ୍ଦ୍ର ମଣ୍ଡଳ, ଜିଲ୍ଲା ସରପଞ୍ଚ ସଂଘ ଉପ ସଭାପତି କିଶୋର ଚନ୍ଦ୍ର ପଣ୍ଡା, ଜି .ଉମା ରେଡ୍ଡୀ ଓ ନିଳାଞ୍ଚଳ ପ୍ରଧାନଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏନେଇ ଚିକିଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଜନପ୍ରତିନିଧି ମାନଙ୍କ ୧୧ ଦଫା ଦାବି ପୂରଣ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି। ଏଥି ସହିତ ବିକଶିତ ଗାଁ ବିକଶିତ ଓଡ଼ିଶାର ସମସ୍ତ କାର୍ଯ୍ୟ ବନ୍ଦ କରାଯିବ ବୋଲି କହିଛନ୍ତି। ଆଗାମୀ ଦିନରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ବିଷୟରେ ଆଲୋଚନା କରି ପୁଣି କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି।
