You are currently viewing ସ୍ବଚ୍ଛ ପୁରୀ ଗର୍ବ ଆମରିବଳଗଣ୍ଡି ଛକରେ ଅଳିଆ ପାହଡ
ସ୍ବଚ୍ଛ ପୁରୀ ଗର୍ବ ଆମରିବଳଗଣ୍ଡି ଛକରେ ଅଳିଆ ପାହଡ

ପୁରୀ,୨୯/୪- ବଡଦାଣ୍ଡରେ ସକାଳୁ ବାଜୁଛି ସ୍ବଚ୍ଛ ପୁରୀ ଗର୍ବ ଆମରି । ପବିତ୍ର ବଡଦାଣ୍ଡ କୁ ଅଳିଆ ସ୍ପର୍ଶ ନକରିବା ପାଇଁ ଘରେ ଘରେ ନାଲି ଓ ନେଳି ବାଲଟି ଦିଆଯାଇଛି । ଗାଡି ମଧ୍ଯ ଅଳିଆ ସଂଗ୍ରହ କରୁଛି । ସଫେଇ କର୍ମଚାରୀ ମାନେ ତିନି ସିଫ୍ଟରେ ବଡଦାଣ୍ଡ ସଫା କରୁଛନ୍ତି । ଏହା ସତ୍ତ୍ବେ ବଳଗଣ୍ଡି ଛକ ନିକଟ ପୁରୁଣା ପେଟ୍ରୋଲ ଟାଙ୍କି ପାଚେରି ସମ୍ମୁଖ ବଡଦାଣ୍ଡରେ କଣ୍ଟାଗଛ ଡାଳ,ବିଭିନ୍ନ ଗଛର ଡାଳ, ପଲିଥିନ,ଆବର୍ଜନା, ପ୍ଲାଷ୍ଟିକ ବୋତଲ, ଲତା, ଦୁଦୁରା ଗଛ ଡାଳ ଆଦି ଅଳିଆ ଆବର୍ଜନା ପାଞ୍ଚ ଦିନ ଧରି ପର୍ବତ ପରି ଗଦା ହୋଇଛି ।

ମହାନଗର ନିଗମ କର୍ମଚାରୀ, ସଫେଇ କର୍ମଚାରୀ, ସୁପରଭାଇଜର ଦେଖି ନଦେଖିଲା ପରି ଅଭିନୟ କରି ସେହି ବାଟେ ଚାଲି ଯାଉଥିବା ସ୍ଥାନୀୟ ଲୋକ କୁହାକୁହି ହେଉଛନ୍ତି । ମହାନଗର ନିଗମ ଘୋଷଣା ହେଲା ହେଲେ ସଫେଇ କାମ ସେମିତି ଆଖି ଦୃଶିଆ ହୋଇପାରୁନାହିଁ । ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନେ ସେହି ବାଟେ ଯାଉଥିବା ସମୟରେ ବଡଦାଣ୍ଡର ଏପରି ଅବସ୍ଥାକୁ ନାପସନ୍ଦ କରିଛନ୍ତି । ସେହିଠାରେ ବଡଦାଣ୍ଡ ସଙ୍କୁଚିତ କରିବା ପାଇଁ ଏକ ଲାଇଟ ଖୁଣ୍ଟ ପୋତା ହେବା ପାଇଁ ବଡ ଗାତ କରାଯାଇ ଡିଭାଇଡର ଟିଣ ଘୋଡା ଯାଇଛି । ଅନ୍ଧାର ରାତିରେ ସେହି ଠାରେ ପଥଚାରୀ ମାନେ ପଡିବା ସମ୍ଭାବନା ରହିଛି ବୋଲି ସ୍ଥାନୀୟ ବାସିନ୍ଦା ମାନେ ଆଲୋଚନା କରୁଛନ୍ତି । ଏହାକୁ ତୁରନ୍ତ ସଫା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।