ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ଅଧିନରେ ଥିବା ପ୍ରାଥମିକ ସେବା ସମବାୟ ସମିତି ମାନଙ୍କରେ ଚଳିତବର୍ଷ ଧାନ କିଣା ବିକାରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଏପରିକି ସମବାୟ କେନ୍ଦ୍ରରେ ଚାଷୀଙ୍କ ପ୍ରତି ସମ୍ପାଦକ ମାନଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଏବଂ ନ୍ୟାୟ ଦାବିରେ ପୁଣିଥରେ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ସମାଜସେବୀ ଇଂ . ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ବ୍ଳକର ବହୁ ଚାଷୀ । ଯାହାଫଳରେ ଆଜି ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ଓ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି । ଖବରନୁଯାୟୀ , ବିଭିନ୍ନ ପଞ୍ଚାୟତର ଚାଷୀଙ୍କ ପାଖକୁ ଧାନ କିଣିବା ପାଇଁ ଟୋକେନ ଆସିଛି ହେଲେ ଟାର୍ଗେଟ ନାହିଁ । ଦୀର୍ଘ ୧ ମାସ ଧରି ଧାନ ମଣ୍ଡିକୁ ଦୌଡୁଛନ୍ତି ଚାଷୀ । ଅପରପକ୍ଷରେ ଚାଷୀଙ୍କ ଟୋକେନ ରଦ୍ଦ ହୋଇଗଲା ।

ଚାଷୀଙ୍କ ଧାନ ବର୍ତ୍ତମାନ ସୁଦ୍ଧା ଜମିରେ ବସ୍ତା କରି ପକାଇ ରଖିଛନ୍ତି ଚାଷୀ । ଏପଟେ ପ୍ରାଥମିକ ସେବା ସମବାୟ ସମିତି ସମ୍ପାଦକ ମାନେ କାର୍ଯ୍ୟାଳୟରେ ତାଲା ପକାଇ ଧରାଛୁଆଁ ଦେଉନାହାନ୍ତି । ଧାନ କିଣା , ବିକା ସମ୍ପର୍କରେ ପଚାରିବାରୁ ଚାଷୀମାନଙ୍କୁ ଅଶାଳୀନ ଭାଷାରେ ଦୁଃବ୍ୟବହାର ଅଭିଯୋଗ ହୋଇଛି। ଯାହାଫଳରେ ସମ୍ପାଦକଙ୍କ ଉପରେ ବର୍ଷିବ ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପାଇଁ ସମାଜସେବୀ ଶ୍ରୀ ପାଣିଗ୍ରାହୀ ଦାବି କରିଛନ୍ତି । ଯଦି ଏ ଅଭିଯୋଗର ତଦନ୍ତ ନହୁଏ ତାହାହେଲେ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ସମୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଜେନ୍ଦ୍ର ଚୌଧୁରୀ , ବିଜେପି ନେତା ମନୋଜ ପଣ୍ଡା , ବାବୁରାମ ପ୍ରଧାନ , ରଘୁନାଥ ସାମନ୍ତରା , ରବି ମିଶ୍ର , ହରି ପ୍ରଧାନ ,ରାଜୀବ ରଥ , ଅନିଲ ମିଶ୍ର , ଅଭିମନ୍ୟୁ ସେଠୀ , ସୁରେଶ କବି ,ପୂର୍ଣ୍ଣଚନ୍ଦ୍ର ରେଡ୍ଡୀ , ରାଜେନ୍ଦ୍ର ରେଡ୍ଡୀ , ଖଲି ମହାପାତ୍ର , କାହ୍ନା ରେଡ୍ଡୀ , ଦେବେନ୍ଦ୍ର ଗୌଡ , ବିନୋଦ ଗୌଡ ସମେତ ବହୁ ଚାଷୀ ଉପସ୍ଥିତ ରହିଥିଲେ।

ରିପୋର୍ଟର – କିରଣ କୁମାର ବେହେରା ( ଦିଗପହଣ୍ଡି)
