ପୁରୀ,୨୨/୬-ଜିଲ୍ଲାରେ ଆଇନ-ଶୃଙ୍ଖଳା ପରିସ୍ଥିତି ସୁଦୃଢ କରିବା, ଅସାମାଜିକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ଏବଂ ମାଦକଦ୍ରବ୍ୟ ସମ୍ବନ୍ଧୀୟ ଅପରାଧକୁ ରୋକିବା ନିମନ୍ତେ ପୁରୀ ପୋଲିସ୍ ପକ୍ଷରୁ ଗତ ଏହି ବର୍ଷ ବ୍ୟାପକ ଚଢ଼ାଉ ଓ ବିଶେଷ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଚାଲୁ ରହିଛି। ଏହି ଅଭିଯାନ ମାଧ୍ୟମରେ ଅପରାଧୀ, ଅସାମାଜିକ ତତ୍ତ୍ୱ ଓ ଆଇନ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପୋଲିସ ପକ୍ଷରୁ ହୋଇଥିବା ସମ୍ପ୍ରତିର ଅଭିଯାନରେ ମୋଟ ୩୩୫ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ସିଟି ପୋଲିସ ଦ୍ୱାରା । ଏହି ବ୍ୟକ୍ତିମାନେ ବିଭିନ୍ନ ଅପରାଧ, ସାମାଜିକ ଅଶାନ୍ତି ସୃଷ୍ଟି ଓ ଆଇନ ଶୃଙ୍ଖଳା ବିଘ୍ନ କରିବା ଘଟଣାରେ ଜଡିତ ଥିବା ପ୍ରମାଣ ମିଳିଛି। ସେମାନଙ୍କ ବିରୋଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟବାହୀ ଚାଲିଛି। ମାଦକଦ୍ରବ୍ୟ ବିରୋଧୀ ଅଭିଯାନ ଅଧୀନରେ ବ୍ରାଉନ ସୁଗାର ସମ୍ବନ୍ଧୀୟ ୧୪ଟି ମାମଲା ରୁଜୁ କରାଯାଇଛି। ଏହି ସମସ୍ତ ମାମଲାରେ ୨୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ମୋଟ ୫୩୬ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ମାଦକଦ୍ରବ୍ୟର ଅବୈଧ କାରବାର ଯୁବପିଢ଼ିକୁ ଭ୍ରଷ୍ଟ ମାର୍ଗରେ ନେଇଯାଉଥିବାରୁ ଏହା ଉପରେ ପୋଲିସ୍ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଛି। ସେହିପରି କଫ ସିରାପର ଅବୈଧ ବ୍ୟବସାୟ ବିରୋଧରେ ୨୦ଟି ମାମଲା ରୁଜୁ କରାଯାଇଛି। ଏଥିରେ ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସହିତ ମୋଟ ୧୬୪୬ ବୋତଲ କଫ ସିରାପ ଜବତ କରାଯାଇଛି। ଏହି ପ୍ରକାର ନିଶାଦ୍ରବ୍ୟର ଅବୈଧ ବ୍ୟବହାର ଓ ବିକ୍ରୟ ବିରୋଧରେ ପୋଲିସ୍ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ସଡ଼କ ସୁରକ୍ଷା ଓ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ମଦ୍ୟପ ଅବସ୍ଥାରେ ଗାଡ଼ି ଚାଳନା ବିରୋଧରେ ବିଶେଷ ଚେକିଂ ଅଭିଯାନ ଚାଲିଛି। ଏହି ଅଭିଯାନରେ ୮୦୩ଟି ଡ୍ରଙ୍କେନ୍ ଡ୍ରାଇଭିଂ କେସ୍ ଚିହ୍ନଟ କରାଯାଇ ଆଇନ ଅନୁଯାୟୀ ଜରିମାନା ଓ କାର୍ଯ୍ୟବାହୀ କରାଯାଇଛି।ଏହାଛଡ଼ା ସାର୍ବଜନିକ ସ୍ଥାନରେ ମଦ୍ୟପାନ କରି ସାମାଜିକ ଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଅଭିଯାନ ଜାରି ରହିଛି। ଏପର୍ଯ୍ୟନ୍ତ ୧୮୦୦ ଜଣଙ୍କୁ ପବ୍ଲିକ ଡ୍ରିଙ୍କିଂରେ ଚିହ୍ନଟ କରାଯାଇ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ନିଆଯାଇଛି। ପୁରୀ ପୋଲିସ ସବୁବେଳେ ଜନସାଧାରଣଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ପ୍ରତି ପ୍ରତିବଦ୍ଧ। ଅପରାଧ ନିୟନ୍ତ୍ରଣ, ମାଦକଦ୍ରବ୍ୟ ମୁକ୍ତ ସମାଜ ଗଠନ ଏବଂ ସୁରକ୍ଷିତ ପରିବେଶ ସୃଷ୍ଟି ପାଇଁ ଏପରି ଅଭିଯାନ ଆଗାମୀ ଦିନରେ ଆହୁରି ଜୋରଦାର ଭାବରେ ଜାରି ରହିବ। ଜନସାଧାରଣଙ୍କୁ ଅନୁରୋଧ, କୌଣସି ସନ୍ଦେହଜନକ କାର୍ଯ୍ୟକଳାପ, ମାଦକଦ୍ରବ୍ୟ ବ୍ୟବସାୟ କିମ୍ବା ଆଇନ ଶୃଙ୍ଖଳା ବିଘ୍ନ ସମ୍ବନ୍ଧୀୟ ସୂଚନା ମିଳିଲେ ତତ୍କ୍ଷଣାତ୍ ପୋଲିସ୍କୁ ଅବଗତ କରନ୍ତୁ।

