You are currently viewing ରଥକନା ପ୍ରସ୍ତୁତି ଅନୁକୂଳ
ରଥକନା ପ୍ରସ୍ତୁତି ଅନୁକୂଳ

ପୁରୀ,୨/୭- ଜୁଲାଇ ୧୬ ତାରିଖ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ବଡଦାଣ୍ଡ ସ୍ଥିତ ରାଜାନଅର ସମ୍ମୁଖ ରଥଖଳାରେ ତିନିରଥ ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନିରଥର ସୌନ୍ଦର୍ଯ୍ୟକରଣ ପାଇଁ ରଥକନା ଆଚ୍ଛାଦିତ କରାଯାଇଥାଏ । ଗୁରୁବାର ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ତିନିରଥର କନା କାର୍ଯ୍ୟ ଆରମ୍ଭ ହୋଇଛି । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଦରଜି ସର୍ଦ୍ଦାର ପ୍ରକାଶ ମହାପାତ୍ର ମହାପ୍ରଭୁଙ୍କ ମାଳ,ମାହାର୍ଦ୍ଦ , ଶ୍ରୀଫଳ ଭାଙ୍ଗିବା ସହ ଧୂପ ଦୀପ ଜଳାଇ ମହାପ୍ରଭୁଙ୍କ ପାଖରେ ସମର୍ପିତ ହୋଇ ରଥକନା ପ୍ରସ୍ତୁତି କାର୍ଯ୍ୟ ଅନୁକୂଳ କରିଥିଲେ । ତିନି ରଥରେ ୧୨୫୦ ମିଟର କନା ଲାଗିଥାଏ । ଏଥିମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ ରଙ୍ଗର ୪୨୫ ମିଟର କନା , ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ପାଇଁ ସବୁଜ ଓ ନାଲି ରଙ୍ଗର ୪୨୫ ମିଟର କନା ଏବଂ ଦେବୀ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ କଳା ଓ ନାଲି ରଙ୍ଗର ୪୦୦ ମିଟର କନା ବ୍ୟବହୃତ ହୋଇଥାଏ ବୋଲି ଦରଜି ସର୍ଦ୍ଦାର ପ୍ରକାଶ ମହାପାତ୍ର ସୂଚନା ଦେଇଛନ୍ତି । ମୁଖ୍ଯ ଦରଜି ସର୍ଦ୍ଦାରଙ୍କ ସମେତ ଅନ୍ଯ ଦରଜି ସେବକ ମାନେ ନିଷ୍ଠା ଶ୍ରଦ୍ଧା ଓ ଭକ୍ତିର ସହ ରଥକନା ପ୍ରସ୍ତୁତିରେ ନିମଗ୍ନ ଅଛନ୍ତି ।