You are currently viewing ୮ ଦିନପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାବଡଥଳ ପୋଟଳ ଠାରୁ ଦୁଆରବେଢା ଚନ୍ଦ୍ରଶାଳୀ ପର୍ଯ୍ୟନ୍ତମଣ୍ଡଣି ବତା ଫିଟିଙ୍ଗ ଶେଷଗାଈଗୋଠ ଚିତ୍ର ଓ ତିନିରଥର ବାହ୍ଯ ଅଂଶ ରଙ୍ଗକାର୍ଯ୍ଯ ଶେଷ
୮ ଦିନପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାବଡଥଳ ପୋଟଳ ଠାରୁ ଦୁଆରବେଢା ଚନ୍ଦ୍ରଶାଳୀ ପର୍ଯ୍ୟନ୍ତମଣ୍ଡଣି ବତା ଫିଟିଙ୍ଗ ଶେଷଗାଈଗୋଠ ଚିତ୍ର ଓ ତିନିରଥର ବାହ୍ଯ ଅଂଶ ରଙ୍ଗକାର୍ଯ୍ଯ ଶେଷ

ପୁରୀ,୭/୭-ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ମଙ୍ଗଳବାର ରଥ ନିର୍ମାଣର ୭୮ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।ଆଉ ୮ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ।

ମଙ୍ଗଳବାର ବଡଥଳ ପୋଟଳ ଠାରୁ ଦୁଆର ବେଢା ଚନ୍ଦ୍ରଶାଳୀ ପର୍ଯ୍ୟନ୍ତ ମଣ୍ଡଣି ବତା ଫିଟିଙ୍ଗ ଶେଷ ହୋଇଛି । ଗାଈଗୋଠ ଚିତ୍ର ଓ ତିନିରଥର ବାହ୍ୟ ଅଂଶ ରଙ୍ଗ କାର୍ଯ୍ଯ ମଧ୍ଯ ଶେଷ ହୋଇଛି । ସୋମବାର ସୁଦ୍ଧା ତିନିରଥର ତିନି ପାର୍ଶ୍ୱରେ ମଣ୍ଡଣି ବତା ଲାଗିବା ସହ ତିନିରଥର ପ୍ରଭା ଗୁଡ଼ିକର ରୂପ ଖୋଦେଇ ଅଂଶରେ ରଙ୍ଗ କାର୍ଯ୍ୟ ସହ ତିନିରଥର ବାହାର ପାର୍ଶ୍ୱ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରହିଥିଲା ।

ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ତିନିରଥ ରେ ମୋଟ ୩୨ ଗୋଟି କନ୍ୟା ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ମହାପ୍ରଭୁଙ୍କ ତାଳ ଧ୍ଵଜ ରଥ ଏବଂ ମହାପ୍ରଭୁଙ୍କ ନନ୍ଦି ଘୋଷ ରଥର ଚତୁର୍ପାର୍ଶ୍ୱରେ ୧୨ ଗୋଟି ଲେଖାଏଁ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୮ ଗୋଟି କନ୍ୟା ପଟା ବାଡ଼ିଆ ଯାଇଛି।

ଚିତ୍ରକାର ସେବକ ମାନେ ତିନିରଥ ପ୍ରଭାରେ ରୂପ ଖୋଦେଇ ଅଂଶରେ ରଙ୍ଗ କାର୍ଯ୍ୟ ର ଶେଷ ସ୍ପର୍ଶ ଦେବାସହ, ତିନିରଥର ବାହ୍ୟ ଅଂଶ ଗୁଡ଼ିକର ରଙ୍ଗ କାର୍ଯ୍ୟ ସହ, ତିନିରଥର ବ୍ରେକ ପୁଲି ର ରଙ୍ଗ କାର୍ଯ୍ୟ ସହ ତିନିରଥର ଘୋଡ଼ା ଏବଂ ସାରଥୀଙ୍କ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।ଦରଜୀ ସେବକ ମାନେ ତିନିରଥ ରବତା କାନା କଟିଙ୍ଗ ପରେ ସେଥିରେ ବିଳାସ ପଟି ବା ଜରୀ ଲେସ୍ ଫିଟିଙ୍ଗ କାର୍ଯ୍ୟ ଶେଷ କରିବା ସହ ତିନି ରଥର ଦୁଆର ବେଢା ଏବଂ ଦୁଆର ବେଢା ଚନ୍ଦ୍ର ଶାଳୀ ର କାନା କଟିଙ୍ଗ ଶେଷ ପରେ ସେଥିରେ ଫୁଲ, ଡାଳି ଲତା ଏବଂ ଚିକଣ ଫୁଲ ପକା କାର୍ଯ୍ୟ ପାଇଁ ମାପ ଚିହ୍ନ ଗାଡ଼ିଆ କାର୍ଯ୍ୟ ଜାରୀ ରହିଛି। ଏଥିସହ ତିନିରଥର ପୋଟଳ କାନା କଟିଙ୍ଗ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ସମସ୍ତ କଣ୍ଟା ନିର୍ମାଣ କାର୍ଯ୍ୟ ଶେଷ କରି ଜରୁରୀ କାଳୀନ ପରିସ୍ଥିତି ପାଇଁ କିଛି ଆବଶ୍ୟକ କଣ୍ଟା ମାନ ନିର୍ମାଣ ଜାରୀ ରଖିଛନ୍ତି।ତିନିରଥର ମହାରଣା ସେବକ ୭୬ ଜଣ,ଭୋଇ ସେବକ ୭୬ ଜଣ, ରୂପକାର ସେବକ ୨୧ଜଣ , କରତୀ ସେବକ ୪ଜଣ , ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ଜଣ ,ଚିତ୍ରକାର ୪୦ଜଣ ଓ ରଥଖଳା ସହାୟକ ୧ଜଣ
ମୋଟ ୨୪୨ ଜଣ ତିନିରଥର ନିର୍ମାଣକାରୀ ସେବକ ମାନେ ନିଷ୍ଠା ଶ୍ରଦ୍ଧା ଓ ଭକ୍ତିର ସହ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।