ପୁରୀ ୧୧/୭ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ ଅଭିଯାନ ଜାରି ରହିଛି।ଏହାକୁ କଡାକଡି ଅନୁପାଳନ ସହ ନିୟମିତ ଯାଞ୍ଚ କରିବାକୁ ଉପଜିଲ୍ଲାପାଳ ଓ ଖାଦ୍ୟ ସୁରକ୍ଷା ଯାଞ୍ଚ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପୁରୀ ମହାନଗର ନିଗମ, ବ୍ରହ୍ମଗିରି, ପିପିଲି, କୋଣାର୍କ ଭଳି ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି।ଉପଜିଲ୍ଲାପାଳ ରାଜ କିଶୋର ଜେନା ଙ୍କ ନିର୍ଦ୍ଦେଶ ଆଧାର ରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଏବଂ ତଦାରଖ ପାଇଁ ଚାରିଟି ଦଳ ଗଠନ କରାଯାଇଛି। ପୁରୀ ଜିଲ୍ଲା ଏବଂ ବ୍ରହ୍ମଗିରିର ବିଭିନ୍ନ ଅଞ୍ଚଳରେ ଦୁଇଟି ଦଳ ନିୟୋଜିତ ହୋଇଥିବା ବେଳେ ବାକି ଦୁଇଟି ଦଳ ପୁରୀ ମହାନଗର ନିଗମ ଅଞ୍ଚଳ ମଧ୍ୟରେ ନିୟୋଜିତ ହୋଇଛନ୍ତି। ପୁରୀ ପୌରପାଳିକା ଦଳ ପୁରୀ ପୌରପାଳିକାର ବିଭିନ୍ନ ଅଞ୍ଚଳରେ ଉପ-ଜିଲ୍ଲାପାଳଙ୍କ ଦ୍ୱାରା ଗଠିତ ବହୁମୁଖୀ ସ୍କ୍ୱାଡ୍ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।ଆଜି ଖାଦ୍ୟ ଯାଞ୍ଚ ଟିମ ଗୁଡ଼ିକ ହୋଟେଲ, ରେଷ୍ଟୁରାଣ୍ଟ, ମିଠା ଦୋକାନ, ଉତ୍ପାଦନ ୟୁନିଟ୍, ଷ୍ଟ୍ରିଟ୍ ଫୁଡ୍, ଖୁଚୁରା କାଉଣ୍ଟର ଏବଂ ଅନ୍ୟାନ୍ୟ ଖାଦ୍ୟ ଦୋକାନ ସମେତ ବିଭିନ୍ନ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ, ସ୍ୱଚ୍ଛ ଏବଂ ପରିମଳ ଅବସ୍ଥା, ଖାଦ୍ୟ ସଂରକ୍ଷଣ ପଦ୍ଧତି ଏବଂ ଖାଦ୍ୟ ସୁରକ୍ଷା ପଞ୍ଜିକରଣ/ଲାଇସେନ୍ସର ବୈଧତା ଯାଞ୍ଚ କରାଯାଇଥିଲା। ଖାଦ୍ୟ ସୁରକ୍ଷା ଆଇନର ବ୍ୟବସ୍ଥା ଅନୁଯାୟୀ,୧୯୨ କିଲୋଗ୍ରାମ ବାସି ଖାଦ୍ୟ ନଷ୍ଟ କରାଯାଇଛି ଏବଂ ଖିଲାପୀ ଖାଦ୍ୟ ବ୍ୟବସାୟ ଅପରେଟରମାନଙ୍କ ଉପରେ ୬୨ ହଜାର ଟଙ୍କା ଜରିମାନା ଲାଗୁ କରାଯାଇଛି।

