ଚିକିଟି, ୨୭/୦୭ :ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମର ବିଜୁ ପଟ୍ଟନାୟକ ଭାରଉତ୍ତୋଳନ କେନ୍ଦ୍ରରେ ଗତ ୨୪ ତାରିଖରୁ ଦ୍ୱିତୀୟ ରାଜ୍ୟ ଭାରଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୧୨ ଓ ୧୪ ବର୍ଷରୁ କମ୍ ବୟସ ବର୍ଗର ୧୯୨ ଜଣ ବାଳକ ଏବଂ ୧୬୨ ଜଣ ବାଳିକା ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାରେ ଚିକିଟିଗଡ଼ସ୍ଥିତ ରାଜଲକ୍ଷ୍ମୀ ବାଳିକା ବିଦ୍ୟାପୀଠର ଛାତ୍ରୀ ପୂଜା ସେଠୀ ୩୫ କିଲୋଗ୍ରାମ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରି ଚିକିଟି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେହିପରି ଚିକିଟିପେଣ୍ଠସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ମିଲନ ପଣ୍ଡା ୬୫ କିଲୋଗ୍ରାମ ବର୍ଗରେ କାଞ୍ଚ୍ୟ ପଦକ ଜିତି ସଫଳତା ଅର୍ଜନ କରିଛନ୍ତି।
ସୂଚନାଯୋଗ୍ୟ, ଉଭୟ ପ୍ରତିଯୋଗୀ ଚିକିଟିପେଣ୍ଠସ୍ଥିତ ଇଣ୍ଡୋର ଷ୍ଟାଡିଅମରେ ପ୍ରଶିକ୍ଷକ ଦାମିନୀ ସାହୁଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ଗ୍ରହଣ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ସଫଳତା ପାଇଁ କ୍ରୀଡ଼ାପ୍ରେମୀ, ଶିକ୍ଷକ, ଅଭିଭାବକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ପୂଜା, ମିଲନ ଓ ସେମାନଙ୍କ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
