ପୁରୀ,୨୮/୭ -ମୁଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି |ବନ୍ୟା ପରିଚାଳନା ନିମନ୍ତେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସ୍ଵତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି | ଆପଣମାନେ ପ୍ରଶାସନର ସେବା ଏବଂ ସହାୟତା ନିଅନ୍ତୁ ; ଭୟଭୀତ ନ ହୋଇ ସତର୍କ ରୁହନ୍ତୁ l ସାଧାରଣଜନତାଙ୍କ ଧନଜୀବନର ସୁରକ୍ଷା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ l ରାତିସାରା ଖୋଲା ରହିବ ଏସଆରସି କାର୍ଯ୍ୟାଳୟ ; ପ୍ରଭାବିତ ଅଞ୍ଚଳରେ ସ୍ଥାନାନ୍ତରଣ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ |ରାଜ୍ୟରେ ଲଗାଣ ବର୍ଷାଜନିତ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟସରକାର ତଥା ସମସ୍ତ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ସାଧାରଣ ଲୋକେ ପ୍ରଶାସନିକ ସେବା ଏବଂ ସହାୟତା ନେଇ ସୁରକ୍ଷିତ ରହିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l ଏଥିସହିତ ସମସ୍ତ ଜିଲ୍ଲାପ୍ରଶାସନ ଏବଂ ଅନ୍ୟାନ୍ୟ ବିଭାଗମାନଙ୍କୁ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ସମନ୍ଵିତ ହୋଇ କାର୍ଯ୍ୟ କରିବାକୁ ମାନ୍ୟବର ମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି l
ସୂଚନାଯୋଗ୍ୟ ଯେ, ଆନନ୍ଦପୁର ଏବଂ ଆଖୁଆପଦାଠାରେ ବୈତରଣୀ ଏବଂ ଜଳକା ନଦୀରେ ଜଳପତ୍ତନସ୍ତର ବୃଦ୍ଧି ପାଇ ବିପଦସ୍ତରଠୁଁ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ କେତେକ ସ୍ଥାନରେ ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ସ୍ତର ଚିନ୍ତାଜନକ ରହିଛି l

ଗତ ଚବିଶ ଘଣ୍ଟାରେ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ବୃଷ୍ଟିପାତ ହୋଇଥିଲା ବେଳେ ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ମଧ୍ଯ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି l ଏହି ପରିପ୍ରେକ୍ଷୀରେ ଆସନ୍ତା ୧୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ସବୁ ଜିଲ୍ଲାରେ ଜଳସ୍ତର ବୃଦ୍ଧି ଉପରେ ନଜର ରଖିବା ପାଇଁ ରାତିସାରା ଏସଆରସି କାର୍ଯ୍ୟାଳୟ ଖୋଲା ରଖିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି l

ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ଥିବାବେଳେ ସମସ୍ତ ଜିଲ୍ଲାପାଳ ଓ ବିଡିଓଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୋଲିସ୍ ବିଭାଗ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ ସହ ଶିଶୁ ଏବଂ ମହିଳାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ମହିଳା ପୋଲିସ ମଧ୍ୟ ନିୟୋଜିତ ହୋଇଛନ୍ତି। ଆଶ୍ରୟସ୍ଥଳୀ ମାନଙ୍କରେ ସାଧରଣଲୋକଙ୍କୁ ରନ୍ଧାଖାଦ୍ୟ ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯାଉଛି l

ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହେଲେ ସେମାନଙ୍କ ବାସଗୃହ ଏବଂ ଧନସମ୍ପତ୍ତିର ସୁରକ୍ଷା ନିମନ୍ତେ ପୋଲିସ୍ ବିଭାଗ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l ସ୍ୱାସ୍ଥ୍ୟ ବିଭାଗ, ପଶୁସମ୍ପଦ ବିଭାଗ ଓ ଅନ୍ୟ ସମସ୍ତ ବିଭାଗକୁ ପ୍ରସ୍ତୁତ ରଖାଯାଇଥିବାବେଳେ ଗୃହପାଳିତ ପଶୁମାନଙ୍କ ସୁରକ୍ଷା ବ୍ୟବସ୍ଥା ସହ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ମହଜୁଦ ରଖାଯାଇଛି l ସର୍ପାଘାତକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ଔଷଧ ଏବଂ ଇଞ୍ଜେକସନ୍ ମହଜୁଦ ରହିଛି।

ଏହି ପରିପ୍ରେକ୍ଷୀରେ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ଲୋକମାନେ ଭୟଭୀତ ନହୋଇ ସତର୍କ ଓ ସୁରକ୍ଷିତ ରହିବାକୁ ନିବେଦନ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ସେହିପରି ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବାସଗୃହ ଅଥବା ଚାଷଜମି ନିମନ୍ତେ ଜନସାଧାରଣଙ୍କୁ ତ୍ଵରିତ କ୍ଷତିପୂରଣ ପ୍ରଦାନ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷ ୨୪ × ୭ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ନିୟମିତ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗରେ ରହିଛି l ଏଥିସହିତ ବନ୍ୟା ମୁକାବିଲା, ପ୍ରସ୍ତୁତି, ସ୍ଥାନାନ୍ତରଣ, ଜନସାଧାରଣଙ୍କ ସୁରକ୍ଷା ଏବଂ ସାମଗ୍ରିକ ସୁବ୍ୟବସ୍ଥିତ ପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ତିନି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି l ଭଦ୍ରକ ଜିଲ୍ଲା ନିମନ୍ତେ ସୁଧାଂଶୁ ମୋହନ ସାମଲ, ବାଲେଶ୍ବର ଜିଲ୍ଲା ନିମନ୍ତେ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଯାଜପୁର ଜିଲ୍ଲା ନିମନ୍ତେ ପି. ଅନ୍ୱେଷା ରେଡ୍ଡୀଙ୍କୁ ସ୍ଵତନ୍ତ୍ର ଭାବେ ଦାୟିତ୍ଵ ଦିଆଯାଇଛି lବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୋଲିସ୍ ଡିଜି ୱାଇ ବି ଖୁରାନିଆ, ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡ଼ଙ୍ଗୀ,ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ୍, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ବୋଲି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଲୋକସମ୍ପର୍କ ଅଧିକାରୀଅଂଶୁମାନ ସାହୁ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି |

