You are currently viewing ଧାନ କ୍ରୟ ନିମନ୍ତେ ଟାର୍ଗେଟ ଅଭାବରୁ ଚାଷୀଙ୍କ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଧାନ କ୍ରୟ ନିମନ୍ତେ ଟାର୍ଗେଟ ଅଭାବରୁ ଚାଷୀଙ୍କ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ବିଭିନ୍ନ ପଞ୍ଚାୟତର ସେବା ସମବାୟ କେନ୍ଦ୍ର ମାନଙ୍କରେ ଚାଷୀଙ୍କ ପ୍ରତି ହେଉଥିବା ଅବହେଳା ଓ ଧାନ କ୍ରୟ ନିମନ୍ତେ ଟାର୍ଗେଟ ଅଭାବରୁ ଗତ କିଛିଦିନ ଧରି ଦିଗପହଣ୍ଡି ଚାଷୀ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ତେବେ ଆଜି ମଧ୍ୟ ବ୍ଳକ ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତର ଦଶୀପୁର , କାଣ୍ଡେଶ୍ବର ଏବଂ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ବହୁ ଚାଷୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ କାଣ୍ଡେଶ୍ବର ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କିଣିବା ପାଇଁ ଟାର୍ଗେଟ ଅଭାବ ରହିଛି । ଅନ୍ୟପକ୍ଷରେ ଚାଷୀଙ୍କ ନିକଟରେ ଧାନ ବିକ୍ରି ନିମନ୍ତେ ଟୋକେନ ରହିଥିବା ବେଳେ ଟାର୍ଗେଟ ଅଭାବରୁ ମଣ୍ଡିରେ ଧାନ ବିକ୍ରୟ କରି ପାରୁନଥିବା ଅଭିଯୋଗ ହୋଇଛି । ଏନେଇ ଆଜି ସେବା ସମବାୟ ସଭାପତି କେ . ସଞ୍ଜୀବ ରେଡ୍ଡୀଙ୍କ ନେତୃତ୍ୱରେ ବହୁ ଚାଷୀ ଏକତ୍ରିତ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ହେବା ସହ ଚାଷୀଙ୍କୁ ଉପଯୁକ୍ତ ନ୍ୟାୟ ଦାବିରେ ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ତହସିଲଦାର ସିପକ କୁମାର ପାତ୍ରଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ସରକାର ବର୍ତ୍ତମାନ ଜିଲ୍ଲାରେ ଏକ ଲକ୍ଷ ଟାର୍ଗେଟ ଦେଇଛନ୍ତି। ଯାହାଫଳରେ କିଛିଟା ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ।