You are currently viewing ପୋଲସରା ବ୍ଲକରେ ୪ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା।
ପୋଲସରା ବ୍ଲକରେ ୪ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା।

ପୋଲସରା ତା.୦୬/୦୯/୨୦୨୬: – ପୋଲସରା ବ୍ଲକରେ ୨ଟି ପର୍ଯ୍ୟାୟରେ ୪ ଗୋଟି ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ବ୍ଲକ କ୍ରୀଡ଼ା ସମ୍ପାଦକ ତଥା ପୋଲସରା ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜ୍ଞାନ ରଞ୍ଜନ ଜାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ତା.୦୧/୦୯/୨୬ ମଙ୍ଗଳବାର ଦିବସ ହାତିଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏବଂ ମା” ଭରାଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ମନ୍ଦାର ଠାରେ ଅନୁଷ୍ଠିତ ହୋଇଥିଲା । ହାତିଓଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସଙ୍କ ସଭାପତିତ୍ୱ ଏବଂ ହାତିଓଟ ଜୋନ୍ କ୍ରୀଡ଼ା ଶିକ୍ଷକ ସମୀର କୁମାର ଦଳାଇଙ୍କ ସମ୍ପାଦନାରେ ଆୟୋଜିତ କ୍ରୀଡ଼ା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ସାହୁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ମୁରଲୀଧର ନନ୍ଦ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ, ଏସଏମସି ସଭାପତି ସନ୍ତୋଷ କୁମାର ଜେନା, ସମିତି ସଭ୍ୟ କାହୁଁ ଚରଣ ସାହୁଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଯୋଗଦେଇଥିଲେ ।

ବରିଷ୍ଠ ବିଜ୍ଞାନ ଶିକ୍ଷକ ନିରାନନ୍ଦ ସାହୁଙ୍କ ମଞ୍ଚ ପରିଚାଳନାରେ ଅତିଥିମାନେ ଶିକ୍ଷା ଏବଂ କ୍ରୀଡ଼ା ଉପରେ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିବା ସହିତ ପ୍ରତିଯୋଗି ଛାତ୍ରଛାତ୍ରୀଙ୍କ ସଫଳତା ଶୁଭକାମନା କରିଥିଲେ । ଆୟୋଜିତ ଖୋ-ଖୋ, କବାଡ଼ି, ଫୁଟବଲ୍, କ୍ରିକେଟ୍, ଦୌଡ଼ କୁଦ ଓ ଯୋଗାସନ ପ୍ରତିଯୋଗିତାରେ ହାତିଓଟ (ଜୋନ୍) ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହାତିଓଟ ସମେତ ହାଇସ୍କୁଲ,ପ୍ରାଇମେରୀ ଓ ଅପରପ୍ରାଇମେରୀ ବିଦ୍ୟାଳୟକୁ ମିଶାଇ ୨୩ ଗୋଟି ବିଦ୍ୟାଳୟ ଗୁଡ଼ିକର ଚଉଦ ବର୍ଷରୁ କମ୍ କନିଷ୍ଠ ବର୍ଗରେ ୫୨ ଜଣ ବାଳକ ଓ ୪୬ ଜଣ ବାଳିକା ଏବଂ ୧୭ ବର୍ଷରୁ କମ୍ ବରିଷ୍ଠ ବର୍ଗରେ ୧୨୧ ଜଣ ବାଳକ ଏବଂ କନିଷ୍ଠ ବର୍ଗରେ ୩୧ ଜଣ ବାଳିକା ଏପରି ମୋଟ ୨୫୦ ଜଣ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିବା ବେଳେ ମନ୍ଦାର ଉଚ୍ଚ ବିଦ୍ୟାଳୟରେ ମନ୍ଦାର ଆଞ୍ଚଳିକ ସ୍ତରୀୟ (ଜୋନ୍) କ୍ରୀଡା କାର୍ଯ୍ୟକ୍ରମଟି ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଜୟକାନ୍ତି ପିଙ୍ଗଙ୍କ ସଭାପତିତ୍ୱ ଏବଂ ମନ୍ଦାର ଜୋନ୍ କ୍ରୀଡ଼ା ସମ୍ପାଦକ ଦେବାଶିଷ ଜେନାଙ୍କ ସମ୍ପାଦନାରେ ଆୟୋଜିତ କ୍ରୀଡା କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତ ଏବଂ ସମ୍ମାନିତ ଅତିଥି ଭାବେ ମନ୍ଦାର ପଞ୍ଚାୟତ ସରପଞ୍ଚ କାର୍ତ୍ତିକ ଜେନା ଓ ସମିତି ସଭ୍ୟା ପ୍ରତିନିଧି ସପନ ନାୟକ, ଏସଏମସି ସଭାପତି ପ୍ରଶାନ୍ତ କୁମାର ନାୟକ ଓ ପୂର୍ବତନ ସଭାପତି ଧରଣୀଧର ନାୟକ, ଗୋପୀନାଥ ହାଇସ୍କୁଲ ବର୍ତ୍ତିନୀର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସାହୁ ପ୍ରମୁଖ ଯୋଗଦେଇ ଉପସ୍ଥିତ ବିଦ୍ୟାର୍ଥିମାନଙ୍କୁ କ୍ରୀଡା ସମ୍ୱନ୍ଧିୟ ଜ୍ଞାନ ଦେବାସହ ପ୍ରତିଯୋଗିମାନଙ୍କ ସଫଳତା କାମନା କରିଥିଲେ ।

ଏହି ଅବସରରେ ମନ୍ଦାର ଜୋନ୍ ଅନ୍ତର୍ଗତ ୨୧ ଗୋଟି ହାଇସ୍କୁଲ, ପ୍ରାଇମେରୀ ଓ ଅପରପ୍ରାଇମେରୀ ବିଦ୍ୟାଳୟରୁ ବରିଷ୍ଠ ଓ କନିଷ୍ଠ ବିଭାଗରେ ମୋଟ୍ ୧୩୦ ଜଣ ପ୍ରତିଯୋଗି ଛାତ୍ରଛାତ୍ରୀମାନେ କ୍ରୀଡ଼ା ପ୍ରତିଯୋଗିତା ଭାଗ ନେଇଥିଲେ।ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବଂ ଲିଙ୍ଗରାଜ ହାଇସ୍କୁଲ ସାନବରଗାଁ ଠାରେ ଏହି ଆଞ୍ଚଳିକ ସାମୁହିକ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୋଲସରା ପୌରପରିଷଦ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କେ. ମମତା କୁମାରୀ ପାତ୍ରଙ୍କ ସଭାପତିତ୍ୱ ଏବଂ ଆଞ୍ଚଳିକ କ୍ରୀଡ଼ା ସମ୍ପାଦକ ରାଜଦୀପ ଡାଳୁଆ (ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ, ପୋଲସରା)ର କ୍ରୀଡା ଶିକ୍ଷକଙ୍କ ସମ୍ପାଦନାରେ ମୋଟ୍ ୨୩ ଗୋଟି ବିଦ୍ୟାଳୟରୁ ୧୭ ବର୍ଷରୁ କମ୍ ବରିଷ୍ଠ ବିଭାଗରେ ୬୨ ଜଣ ବାଳକ ଓ ୫୩ ଜଣ ବାଳିକା ଏବଂ ୧୪ ବର୍ଷରୁ କମ୍ କନିଷ୍ଠ ବିଭାଗରେ ୮୪ ଜଣ ବାଳକ ଓ ୬୭ ଜଣ ବାଳିକା ଏପରି ମୋଟ୍ ୨୬୬ ଜଣ ପ୍ରତିଯୋଗି ଭାଗ ନେଇଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ପୋଲସରା ବିଇଓ ଶ୍ରୀ ହର୍ଷବାବୁ ଖାଡ଼ଙ୍ଗା, ମୁଖ୍ୟ ବକ୍ତାଭାବେ ଜି.ବି. ଏଚ.ଏସ- ଜୋନର ତଥା ବେଗୁନିଆପଡ଼ା ବି.ଇ.ଓ. ରୁଦ୍ର ନାରାୟଣ ସାହୁ ଏବଂ ସମ୍ମାନୀତ ଅତିଥି ଭାବେ ଉକ୍ତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ, ଏସ.ଏମ୍.ସି. ସଭାପତି ରବୀନ୍ଦ୍ର କୁମାର ସାହୁ (ଟିକିନା) ଏବଂ ପୋଲସରା ମଣ୍ଡଳ କ୍ରୀଡା ସମ୍ପାଦକ ଜ୍ଞାନ ରଞ୍ଜନ ଜାଲି ପ୍ରମୁଖ ଅନୁଷ୍ଠିତ ବୈଠକରେ ଯୋଗଦେଇ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେବାସହ ସଫଳତା କାମନା କରିଥିଲେ। ଠିକ୍ ସେହିପରି ନିମିନା ଗ୍ରାମ ପଞ୍ଚାୟତ ସ୍ଥିତ ଲିଙ୍ଗରାଜ ହାଇସ୍କୁଲ ସାନବରଗାଁ ଠାରେ ପ୍ରଧାନଶିକ୍ଷକ ଡ଼. ସାହୁଙ୍କ ସଭାପତିତ୍ୱ ଏବଂ ଆଞ୍ଚଳିକ କ୍ରୀଡ଼ା ଶିକ୍ଷକ ସୀତାରାମ ମହାନ୍ତିଙ୍କ ସମ୍ପାଦନାରେ ୧୪ ଗୋଟି ବିଦ୍ୟାଳୟର ବରିଷ୍ଠ ବର୍ଗ ଏବଂ କନିଷ୍ଠ ବର୍ଗକୁ ମିଶାଇ ୧୨୫ ଜଣ ବାଳକ ଓ ୧୪୨ ଜଣ ବାଳିକାମାନେ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ମାମା ସାହୁ, ମୁଖ୍ୟ ବକ୍ତାଭାବେ ଅନୁଷ୍ଠାନର ପ୍ରତିଷ୍ଠାତା ଦଣ୍ଡପାଣି ପ୍ରଧାନ ଏବଂ ସମ୍ମାନିତ ଅତିଥିଭାବେ ଏସ.ଏମ୍.ସି. ସଭାପତି ଦେବରାଜ ସେଠୀ, ମଧୁପଲ୍ଲୀ ଗୋପୀନାଥ ସ୍ୱାମୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଲମ୍ବୋଦର ସାହୁ, ଚଣ୍ଡିରାମପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଅବନିକାନ୍ତ ପଟ୍ଟନାୟକ, ଚିରିକିପଡ଼ାଶାସନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଇଙ୍ଗିଡା ମଲ୍ଲିକ, ମା’ ସିଂହାସନୀ ୟୁ.ପି ସ୍କୁଲର ପ୍ରଧାନ ଶିକ୍ଷକ ହିମା°ଶୁ ଶେଖର ପାଢ଼ୀ, ସମିତିସଭ୍ୟା ପ୍ରତିନିଧି ନୀଳମଣି ସାହୁ ଓ ପୂର୍ବତନ ଏସଏମସି. ସଭାପତି ରାମଚନ୍ଦ୍ର ଗୌଡ ପ୍ରମୁଖ ଯୋଗଦେଇ ଜଣେ ସୁସ୍ଥ ମଣିଷ ଏବଂ ସୁସ୍ଥ ସମାଜ ପାଇଁ କ୍ରୀଡ଼ାର ଉପଯୋଗିତା ଓ ମହତ୍ୱ କ’ଣ ସେଥିଉପରେ ବୁଝାଇବା ସହ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କ ସଫଳତା ଓ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ। ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧ ତାରିଖ ମଙ୍ଗଳବାର ଓ ୩ ତାରିଖ ଗୁରୁବାର ଦିନ ହୋଇଥିବା ଚାରି ଜୋନ୍ ସ୍ତରୀୟ କ୍ରୀଡ଼ା କାର୍ଯ୍ୟକ୍ରମ ନିର୍ବିଘ୍ନ ଏବଂ ସଫଳତାର ସହିତ ସମାପନ ହୋଇଥିବା ବେଳେ ଏଥିରେ ୪ ଜଣ ଆଞ୍ଚଳିକ କ୍ରୀଡା ସମ୍ପାଦକଙ୍କ ବ୍ୟତୀତ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ, ଶିକ୍ଷକ,ଶିକ୍ଷୟତ୍ରୀ,ଏସଏମସି ସଦସ୍ୟବୃନ୍ଦଙ୍କ ସମେତ ଏନସିସି , ସ୍କାଉଟ, ଗାଇଡ୍ସ ଓ ଜେ.ଆର.ସି. ଛାତ୍ରଛାତ୍ରୀମାନେ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିବାରୁ ବ୍ଲକ୍ କ୍ରୀଡା ସଂପାଦକ ଜ୍ଞାନ ରଞ୍ଜନ ଜାଲି ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।