You are currently viewing ଭରତପତି ମହାବିଦ୍ୟାଳୟ ରେ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ଦାବି କଲେ ସଭାପତି ପ୍ରାର୍ଥୀ ଲିମା ଶବର
ଭରତପତି ମହାବିଦ୍ୟାଳୟ ରେ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ଦାବି କଲେ ସଭାପତି ପ୍ରାର୍ଥୀ ଲିମା ଶବର

ପାତ୍ରପୁର — ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି। ହେବାକୁ ଥିବା ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି ସଭାପତି ପ୍ରାର୍ଥୀ ଲିମା ଶବର। ଏ ନେଇ ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଲିମା ଙ୍କ ଅଭିଯୋଗ ଅନୁଯାୟୀ, ମହାବିଦ୍ୟାଳୟ ଏକ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏଠାରେ ଗଣତାନ୍ତ୍ରିକ ଓ ନିରପେକ୍ଷ ଢଙ୍ଗରେ ନିର୍ବାଚନ ହେବା ଉଚିତ। କିନ୍ତୁ ବର୍ତ୍ତମାନ କଲେଜ ପରିସରରେ ବାହାର ଲୋକଙ୍କ ହସ୍ତକ୍ଷେପ ବୃଦ୍ଧି ପାଇବା ସହ ପ୍ରାର୍ଥୀମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଧମକ ଦିଆଯାଉଛି। ନାମାଙ୍କନ ପ୍ରତ୍ୟାହାର ପାଇଁ ଚାପ ପକାଯିବା ସହ ତାଙ୍କ ପରିବାର ଉପରେ ମଧ୍ୟ ଚାପ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି। କଲେଜ ବାହାରେ ଅସାମାଜିକ ବ୍ୟକ୍ତିଙ୍କ ସମାଗମ ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଆଶଙ୍କା ରହିଥିବା ସେ କହିଛନ୍ତି।ଏହି ନିର୍ବାଚନରେ ରାଜନୈତିକ ହସ୍ତକ୍ଷେପ ହେଉଥିବା ଅଭିଯୋଗ କରି ଲିମା ଚିକିଟି ବିଧାୟକଙ୍କ କାର୍ଯ୍ୟଶୈଳୀ କୁ ମଧ୍ୟ ସମାଲୋଚନା କରିଛନ୍ତି। ଏଥିସହ କଲେଜର କିଛି ଅଧ୍ୟାପକ ନିଜ ପଦର ଅପବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ସହଯୋଗ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ପ୍ରତି ଅସହଯୋଗ କରୁଥିବା ସେ ଅଭିଯୋଗ ଆଣିଛନ୍ତି। ଏଭଳି ସ୍ଥିତି ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଥିବା ସେ କହିଛନ୍ତି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ଲିମା। ନିର୍ବାଚନ ସମୟରେ କଲେଜ ପରିସର ଓ ବାହାରେ ପ୍ରଶାସନର ହସ୍ତକ୍ଷେପ ସହ ପର୍ଯ୍ୟାପ୍ତ ପୁଲିସ ମୁତୟନ, ବାହ୍ୟ ବ୍ୟକ୍ତିଙ୍କ ହସ୍ତକ୍ଷେପ ଉପରେ ରୋକ୍‌, ପ୍ରାର୍ଥୀମାନଙ୍କ ସୁରକ୍ଷା ସୁନିଶ୍ଚିତ ବୋଲି ସମସ୍ତ ପ୍ରାର୍ଥୀ ମାନେ କହିଛନ୍ତି।