ଭୁବନେଶ୍ୱର: ରାଜ୍ୟରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ବିବାହ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ, ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ବିତୀୟ ବିବାହ କରିବା କଥା ବି ସାମନାକୁ ଆସିଛି।
ବିଧାୟକ ଦିବ୍ୟଶଙ୍କର ନିଜ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦେକୋଟ ଗାଁର ଦେକୋଟ ଗାଁର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କା ଅଗସ୍ତି (ପିନା)ଙ୍କୁ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି। ପ୍ରିୟଙ୍କା ବୃତ୍ତିରେ ଇଞ୍ଜିନିୟର ହୋଇଥିବା ବେଳେ, ଉଭୟଙ୍କ ପାଇଁ ଏହା ଦ୍ଵିତୀୟ ବିବାହ ବୋଲି ଜଣା ପଡିଛି।
ଆସନ୍ତା ୨୫ ତାରିଖରେ ପୁରୀର ଏକ ଶିବ ମନ୍ଦିରରେ ବିବାହ ଉତ୍ସବର ଆୟୋଜନ କରାଯିବ। ପ୍ରିୟଙ୍କା ପୂର୍ବରୁ ଧର୍ମଗଡ଼ର ଜଣେ ଯୁବକଙ୍କୁ ବିବାହ କରିଥିଲେ ।୨ ବର୍ଷ ପୂର୍ବରୁ ତାଙ୍କର ଛାଡପତ୍ର ହୋଇଥିଲା । ସେହିପରି ଦିବ୍ୟଶଙ୍କର ମଧ୍ୟ ବିବାହର କିଛି ବର୍ଷ ପରେ କୌଣସି କାରଣରୁ ସେମାନେ ପରସ୍ପରକୁ ଛାଡପତ୍ର ଦେଇଥିଲେ । ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ବିତୀୟ ବିବାହକୁ ନେଇ ଅନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି ତାଙ୍କ ରାଜନୈତିକ ସଚିବ ଦିନେଶ ବଗର୍ତ୍ତି ।
ଉଲ୍ଲେଖନୀୟ ଯେ, ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ ଆସିବା ପରେ ତାଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ପରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ସମୟରେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଦଳୀୟ ଦାୟିତ୍ଵ ଦେଇଥିଲେ ବିଜେଡି ସୁପ୍ରିମୋ ।
