You are currently viewing ଲୁଗା ସଫା କରୁଥିବା ବେଳେ ଟାଣି ନେଲା କୁମ୍ଭୀର : ମୃତ୍ୟୁ ମୁଖରୁ ବର୍ତ୍ତିଲେ ମହିଳା
ଲୁଗା ସଫା କରୁଥିବା ବେଳେ ଟାଣି ନେଲା କୁମ୍ଭୀର : ମୃତ୍ୟୁ ମୁଖରୁ ବର୍ତ୍ତିଲେ ମହିଳା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମାରୀ ଗ୍ରାମରେ ବୁଧବାର ଅପରାହ୍ନ ୫ ଘଣ୍ଟା ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିନି ଗୌଡ଼ ନାମ୍ନି ଜଣେ ମହିଳା ଗ୍ରାମର ସାଗର ବନ୍ଧ ତୁଠରେ ଲୁଗା ସଫା କରୁଥିବା ସମୟରେ ଟାଣି ନେଇଥିଲା କୁମ୍ଭୀର । ଘଟଣାରେ ମହିଳା ଜଣକ କୁମ୍ଭୀର ଆକ୍ରମଣର ଶିକାର ହେବା ସହ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ନିନି ଗ୍ରାମର ସାଗର ପୋଖରୀ ତୁଠରେ ବସି ଲୁଗା ସଫା କରୁଥିବା ବେଳେ ଏକ କୁମ୍ଭୀର ହଠାତ୍ ତାଙ୍କ ବାମ ହାତକୁ କାମୁଡି ପାଣି ମଧ୍ୟକୁ ଟାଣି ନେଇଥିଲା । ନିନି ପାଟି କରିବାରୁ ଆଖପାଖରେ ଥିବା କିଛି ଗ୍ରାମବାସୀ ସେଠାରେ ପହଞ୍ଚି ପୋଖରୀ ପାଣି ମଧ୍ୟରୁ ନିନିଙ୍କୁ କୌଶଳ କ୍ରମେ ଉଦ୍ଧାର କରିଥିଲେ । ନିନିଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଖବରପାଇ ଦିଗପହଣ୍ଡି ବନ ବିଭାଗ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ , ବନପାଳ ସୋମନାଥ ମଲ୍ଲିକ , ବନରକ୍ଷୀ ବିରଞ୍ଚି କୁମାର ବିଶି , ନିନୀମଣି ନାୟକ ଏବଂ ସୁରଭି ପାଣିଗ୍ରାହୀ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମହିଳାଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଆବଶ୍ୟକ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସମ୍ପର୍କରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣା ପ୍ରଥମ ବୋଲି ଜଣାପଡିଛି । ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ପୋଖରୀରେ କୁମ୍ଭୀର ରହିଥିବା ନେଇ ଲୋକଙ୍କୁ ସଚେତନତା ପାଇଁ ସତର୍କ ସୂଚନା ସମ୍ବଧିତ ପ୍ଲା କାର୍ଡ ଲଗାଯିବା ସହ ପୋଖରୀ ପାଣି ରୁ କୁମ୍ଭୀରକୁ ଉଦ୍ଧାର କରାଯାଇ ଘୋଡ଼ାହାଡ଼ ଡ଼୍ୟାମରେ ଛଡାଯିବ ବୋଲି ରେଞ୍ଜର କହିଛନ୍ତି ।