ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସାନଖେମୁଣ୍ଡି ବ୍ଳକ ତପ୍ତପାଣି ଘାଟି ପାଦଦେଶ ଶ୍ରୀରାମ ନଗରର ଛକ ଠାରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବ୍ୟବସାୟୀ ଜଣକ ହେଲେ କଂସାମାରୀ ଗ୍ରାମର ଡି. ଦଳବେହେରା ବୋଲି ସୂଚନା ମିଳିଛି । ଖବରନୁଯାୟୀ , ଆଜି ରାତ୍ର ୮ ଘଣ୍ଟା ସମୟରେ ବ୍ରହ୍ମପୁରରୁ ଉମରକୋଟ ଯାଉଥିବା ଏକ ସରକାରୀ ବସ୍ ଗଜପତିରୁ ବ୍ୟବସାୟ ସାରି ନିଜ ଘରକୁ ବାଇକ୍ ଯୋଗେ ଫେରୁଥିବା ବେଳେ ବସଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବ୍ୟବସାୟୀ ଜଣକ ଛିଟିକି ପଡ଼ିଥିଲା । ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଅନ୍ୟପଟେ ପାଟପୁର ଓ ପୋଡାମାରୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।
ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା
