You are currently viewing ପାଠ ପଢ଼ିବାକୁ ଯନ୍ତ୍ରଣା ଭୋଗୁଛନ୍ତି ଘାଟି ପାହାଡର ଶିକ୍ଷାର୍ଥୀ।
ପାଠ ପଢ଼ିବାକୁ ଯନ୍ତ୍ରଣା ଭୋଗୁଛନ୍ତି ଘାଟି ପାହାଡର ଶିକ୍ଷାର୍ଥୀ।

ଟି ଗୋବିନ୍ଦପୁର ଆବାସିକ ହାଇସ୍କୁଲରେ ହଷ୍ଟେଲ ସୁବିଧା ପାଇଁ ଜିଲ୍ଲା ପ୍ରଶାସନକୁ ଦାବୀପତ୍ର।

ସାନଖେମୁଣ୍ଡି ୨୭/୨: (ବିନାୟକ ଦାଶ)ଆଦିବାସୀ ଇଲାକାରେ ଶିକ୍ଷାର ବିକାଶ ପାଇଁ ସରକାରୀ ସ୍ତରରେ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯାଉଛି । ଗମନାଗମନ ସୁବିଧା ନ ଥିବା ଘଞ୍ଚ ଦୁର୍ଗମ ପାହାଡି ଇଲାକା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ପିଲା ମାନଙ୍କ ପାଠ ପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ଯ ଦୁର୍ଗମ ପାହାଡି ଇଲାକା ଗାଁ ରୁ ପାଦ ଚଲା ରାସ୍ତାରେ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟକୁ ଯାତାୟତ ସମସ୍ୟା ର ଦୀର୍ଘସ୍ଥାୟୀ ବ୍ୟବସ୍ଥା ପ୍ରତି ପ୍ରଶାସନ ଧ୍ୟାନ ଦେଉନି । ଏଭଳି ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥାର ପ୍ରତିଫଳନ ଗଞ୍ଜାମ ଗଜପତି ସୀମାନ୍ତ ତଥା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଟି ଗୋବିନ୍ଦପୁର ପଞ୍ଚାୟତ ଜେନ୍ଦ୍ରସ୍ଥଳରେ ଥିବା ଟି ଗୋବିନ୍ଦପୁର ଆବାସିକ ଉଚ୍ଚ ବିଦ୍ୟାଳୟ କ୍ଷେତ୍ରରେ ଦେଖାଯାଇଛି ଓ ଚରମ ବ୍ୟତିକ୍ରମ ସୃଷ୍ଟି ହୋଇଛି। ସରକାରୀ ସ୍ତରରେ ଉଦାସୀନତା ଓ ପ୍ରଶାସନିକ ଅଦୂରଦର୍ଶିତା ଯୋଗୁଁ ଆଖ ପାଖ ଘାଟି ପାହାଡ ଜଙ୍ଗଲ ଘେରରେ ଥିବା ଆଦିବାସୀ ଓ ସଂଖ୍ୟାଲଘୁ ଗ୍ରାମାଞ୍ଚଳର ହାଇସ୍କୁଲ ପାଠପଢ଼ାରେ ସଙ୍କଟ ଦେଖାଦେବା ସହ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏହି ପଞ୍ଚାୟତ ସମେତ ପଡୋଶୀ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ଉଚ୍ଚ ଶିକ୍ଷାର ଅଭାବ ଦୂର କରିବା ଲକ୍ଷ୍ୟରେ ୧୯୯୬ ରେ ଟି ଗୋବିନ୍ଦପୁର ଠାରେ ଆବାସିକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଘାଟି ଜଙ୍ଗଲ ପାହାଡ଼ ରାସ୍ତାରେ ଦୈନିକ ଯାତାୟାତ ଜନିତ ସମସ୍ୟା ଦୂର ପାଇଁ ଛାତ୍ର ମାନେ ବିଦ୍ୟାଳୟରେ ରହି ପାଠ ପଢୁଥିଲେ। ପରିଚାଳନା କମିଟି ଓ ଶିକ୍ଷକ ମାନେ ଦାୟିତ୍ୱରେ ରହି ପିଲାଙ୍କୁ ହଷ୍ଟେଲ ସୁବିଧା ପ୍ରଦାନରେ ସହଯୋଗ କରୁଥିଲେ। ଛାତ୍ର ମାନଙ୍କ ଉପସ୍ଥାନ ବଢ଼ିବା ସହ ଦୁର୍ଗମ ଗ୍ରାମର ଛାତ୍ର ମାନେ ବିଦ୍ୟାଳୟରେ ରହି ପାଠ ପଢୁଥିଲେ। କିନ୍ତୁ ଗତ ୨୦୧୬ ରେ ଏହି ଆବାସିକ ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲ ସୁବିଧା ନିମିତ୍ତ ଭିତ୍ତିଭୂମି ତଥା ପାଚେରୀ ଓ ଗୃହ ଅଭାବ ଦର୍ଶାଇ ପିଲାଙ୍କୁ ସ୍କୁଲରେ ରହି ପାଠ ପଢ଼ିବାକୁ ବାରଣ କରାଗଲା ଏବଂ ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଧେଶ ଦିଆଗଲା। ଫଳତଃ ୨୦୧୬ରୁ ଏଠାରେ ହଷ୍ଟେଲ ବନ୍ଦ ହେବା ଯୋଗୁଁ ୩ ରୁ ୭ କିମି ଦୂରରୁ ହାଇସ୍କୁଲ ପାଠ ପଢିବାକୁ ଆସୁଥିବା ପିଲାଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି। ଏହି ହାଇସ୍କୁଲରେ ଆବାସିକ ସୁବିଧା ପାଇଁ ଅଞ୍ଚଳବାସୀ ବହୁବାର ପ୍ରଶାସନ ଠାରେ ଦୃଷ୍ଟି ଆକର୍ଷଣ କରିଛନ୍ତି କିନ୍ତୁ ଆଦିବାସୀ ଅଧ୍ୟୁଷିତ ଇଲାକା ରେ ଶିକ୍ଷାର ବିକାଶ ଦିଗରେ ପ୍ରଶାସନ ତରଫରୁ କୌଣସି ଆନ୍ତରିକତା ନାହିଁ। ଆଜି ପୁଣି ଟି ଗୋବିନ୍ଦପୁର ଆବାସିକ ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲ ସୁବିଧା ପ୍ରଦାନ ପାଇଁ ଅଞ୍ଚଳର ସାମାଜିକ ଗଣ ସଙ୍ଗଠନ ଆଦିବାସୀ ମହିଳା ସଙ୍ଗଠନ ପକ୍ଷରୁ ପୃଥକ୍ ସ୍ମାରକପତ୍ର ମାଧ୍ୟମରେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ଠାରେ ଦୃଷ୍ଟି ଆକର୍ଷଣ କରାଯାଇଛି।

ଆଜି ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଶବର ସମାଜ କଲ୍ୟାଣ ସମିତି, ମିଶନ ଶକ୍ତି ମଞ୍ଚ, ମହେନ୍ଦ୍ରଗିରି ସର୍ବଚେତନା ଟ୍ରଷ୍ଟ ବିଦ୍ୟାଳୟ ଆଲୁମିନି ପରିଷଦ ପକ୍ଷରୁ ଟି ଗୋବିନ୍ଦପୁର ଆବାସିକ ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ଶିକ୍ଷାର୍ଥୀଙ୍କ ହାଇସ୍କୁଲ ପାଠପଢ଼ା ସଙ୍କଟର ଅବସାନ ପାଇଁ ହଷ୍ଟେଲ ସୁବିଧା ପ୍ରଦାନ ନିମିତ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଛି। ଶବର ସମାଜ କଲ୍ୟାଣ ସମିତି ସଭାପତି କନ୍ଧ ବଡରଇତ ସଭ୍ୟ ଶରତ ଗମାଙ୍ଗ ମିଶନ ଶକ୍ତି ମଞ୍ଚ ସଭାନେତ୍ରୀ ସୁଦେଷ୍ଣା ପାତ୍ର ସ୍ଵୟଂ ସହାୟିକା ଗୋଷ୍ଠୀ ସଭାନେତ୍ରୀ ରିନା ଦଳେଇ ସମ୍ମାନ ସଦସ୍ୟ ସତୀଶ ଆଚାର୍ଯ୍ୟ ସର୍ବଚେତନା ଟ୍ରଷ୍ଟ ପ୍ରତିଷ୍ଠାତା ସଭ୍ୟ ପ୍ରଦୀପ କୁମାର ପାତ୍ରଙ୍କ ସମେତ ସଙ୍ଗଠନର ଅଗ୍ରଣୀ କର୍ମକର୍ତ୍ତା ମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ଜଣାଇବା ସହ ହଷ୍ଟେଲ ଖୋଲିବା ନିମିତ୍ତ ଆଲୋଚନା କରିଥିଲେ।