ଭୁବନେଶ୍ୱର। ଭୁବନେଶ୍ୱର ଅନ୍ତର୍ଗତ ବାଲିଅନ୍ତା ଥାନା ପୁଲିସ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୁଲିସ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରଖିଛି । ଅଭିଯୁକ୍ତଙ୍କ ପରିଚୟ ୟୁପିର ଜୟଦେବ ୟାଦବ ଏବଂ ଭୁବନେଶ୍ୱରର ରାଜକିଶୋର ଭୋଇ ରୂପରେ ହୋଇଛି।
ସୂଚନାଯୋଗ୍ୟ ଯେ, ଆଜି ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇ ବାଲିଅନ୍ତା ପୁଲିସର ଏକ ସ୍ପେଶାଲ ଟିମ ସମ୍ପୃକ୍ତ ଥାନା ଅନ୍ତର୍ଗତ ତାଳଗଡା ଗ୍ରାମରେ ଥିବା ଏକ ଦୋକାନରେ ଅତର୍କିତ ଚଢଉ କରିଥିଲା। ସାଧାରଣ ଲୋକଙ୍କୁ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥଲା।
ଉକ୍ତ ଦୋକାନରେ ଛାନଭିନ କରି ବାଲିଅନ୍ତା ଥାନା ପୁଲିସ ସେଠାରୁ ୨୦ଲିଟର ଆସ୍କା-୪୦ ଦେଶୀ ମଦ, ୧୩.୨ଲିଟର ବିଦେଶୀ ମଦ, ଗୋଟିଏ ଫ୍ରିଜ ଏବଂ ଏକ OD-33-X-5675 ନମ୍ବର ବିଶିଷ୍ଟ ସ୍କୁଟି ଜବତ କରିଥିଲା।

ପଚରା ଉଚରା ବେଳେ ଦୁଇ ଅଭିଯୁକ୍ତ ଏହି ବେଆଇନ ମଦ ବିକ୍ରି ନେଇ ପାଖରେ କୌଣସି ଲାଇସେନ୍ସ ନଥିବା କଥା ସ୍ଵୀକାର କରିଥିଲେ। ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା।
