ଉଦଘାଟନ ପର ଠାରୁ ଝୁଲୁଛି ତାଲା!
ବ୍ରହ୍ମପୁର,(ଅମିତ୍ କୁମାର ସାହୁ)୧୩/୦୩/୨୩: ବିଏମ୍ସି ନିର୍ମାଣ କରୁଛି ନୂଆ ଶୌଚାଳୟ। କିନ୍ତୁ ପୁରୁଣା ଶୌଚାଳୟ ପୁରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦିଗରେ ଦୃଷ୍ଟି ଦେଉନାହିଁ । ଗେଟ୍ ବଜାର ଶୌଚାଳୟ ଭୂତକୋଠି ପାଲଟିଛି। କେନାଲ ସାହି ବାସିନ୍ଦାଙ୍କ ସମେତ ସହରକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଶୌଚାଳୟ ନିର୍ମାଣ ହୋଇଥିଲା। ଇଣ୍ଟିଗ୍ରେଟେଡ୍ ଡେପଲପ୍ମେଣ୍ଟ୍ ଅଫ୍ ସ୍କାଲ୍ ଆଣ୍ଡ୍ ମିଡିୟମ୍ ଟାଉନ୍ସ (ଆଇଡିଏସ୍ଏମ୍ଟି) ଯୋଜନାରେ ୨୦୦୦ ମସିହା ଜୁଲାଇ ୧୯ରେ ବିଏମ୍ସି ନିର୍ମାଣ କରିଥିଲା। ମହିଳା ଓ ପୁରୁଷଙ୍କ ପାଇଁ ଦୁଇଟି ଲେଖାଏ ଗାଧୁଆ ଘର ଏବଂ ଶୌଚ ଘର ରହିଛି। ଶୌଚାଳୟ ନିର୍ମାଣ ପରେ ଥରେ ମଧ୍ୟ ବ୍ୟବହାର ହୋଇନି । ଆଜିକୁ ୨୨ ବର୍ଷ ଧରି ବ୍ୟବହାର ନହୋଇ ପଡ଼ି ରହିଛି। କାନ୍ଥ ଭୁଶୁଡ଼ିବାକୁ ବସିଲାଣି। ଲୁହା ଗ୍ରିଲ୍ ଭାଙ୍ଗିରୁଜି ଗଲାଣି। ଭିତରରେ ଫଳକ ଲାଗିଥିବା ବେଳେ ଏହା ଉଦ୍ଘାଟନ ହେବା ପର ଠାରୁ ଅବ୍ୟବହୃତ ପଡ଼ିରହିଛି । ଶୌଚାଳୟ ସୁବିଧା ଯୋଗାଇ ଦେବା ପାଇଁ ବିଏମ୍ସି ସହରର ବିଭିନ୍ନ ସ୍ଥାନରେ ୬୨ଟି ଶୌଚାଳୟ ନିର୍ମାଣ କରିଛି। ଏହା ସହିତ ରାସ୍ତାକଡ଼ରେ ୧୪ ଲକ୍ଷ ଟଙ୍କା ବ୍ୟୟରେ ୨୮ଟି ଅସ୍ଥାୟୀ ପରିଶ୍ରାଗାର ନିର୍ମାଣ କରିଥିଲା । ତାହା ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ତିଷ୍ଠି ପାରିନଥିଲା। ବ୍ରହ୍ମପୁର ସହରକୁ ଦୈନିକ ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟରେ ଆସୁଛନ୍ତି। ଏଣୁ ଲୋକଙ୍କ ସୁବିଧା ଦୃଷ୍ଟିରୁ ନିର୍ମାଣ ହୋଇଥିଲା ଶୌଚାଳୟ ଓ ପରିଶ୍ରାଗାର। କିନ୍ତୁ ତାହାର ସଠିକ୍ ରକ୍ଷଣାବେକ୍ଷଣ କରିବାରେ ଫେଲ୍ ମାରୁଛି ବିଏମ୍ସି । ଏନେଇ ସ୍ଥାନୀୟ କର୍ପୋରେଟର ଡି. କରୁଣାକର କହିଛନ୍ତି, ଏହି ଶୌଚାଳୟ ଉଦ୍ଘାଟନ ଦିନଠୁ ତାଲା ଝୁଲୁଛି। ଲୋକଙ୍କ ଉଦ୍ଦେଶ୍ୟରେ ତିଆରି କରାଯାଉଥିବା ଏହି ଶୌଚାଳୟ ବନ୍ଦ ହୋଇ ରହିଛି। ୱାର୍ଡରେ ଗୋଟିଏ ବି ଶୌଚାଳୟ ନଥିବା ବେଳେ ବିଏମ୍ସି ଏଥିପ୍ରତି ନଜର ଦେଉନଥିବା ସେ କହିଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ଶୃତିକା ପାତ୍ର କହିଛନ୍ତି, ସହରରେ ଥିବା ସମସ୍ତ ଶୌଚାଳୟର ବର୍ତ୍ତମାନ ସ୍ଥିତିକୁ ନେଇ ରିପୋର୍ଟ କରାଯିବ। ଏହାପରେ କେଉଁ ଶୌଚାଳୟ ମରାମତି ଯୋଗ୍ୟ ତାହା ଚିହ୍ନଟ କରାଯିବ। ଏହି ଶୌଚାଳୟ ମଧ୍ୟ ଚିହ୍ନଟ କରାଯିବା ପରେ ମରାମତି କରାଯିବ।
