ବେଲଗୁଣ୍ଠା,18/03, ଜନୈକା ମହିଳାଙ୍କୁ ଧମକ ଦେଇ ଦଶ ବର୍ଷ ଧରି ଅନୈତିକ ଶାରୀରୀକ ସମ୍ପର୍କ ଅଭିଯୋଗରେ ଆଜି ଗାଙ୍ଗପୁର ପୋଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଗାଙ୍ଗପୁର ଗ୍ରାମର କୁମର ବିଷୋୟୀ (33) ସେହି ଗ୍ରାମର ଜଣେ ମହିଳାଙ୍କୁ ଦଶ ବର୍ଷ ଧରି ବିଭିନ୍ନ ପ୍ରକାର ଧମକ ଦେଇ ତାଙ୍କ ସହ ବାରମ୍ବାର ଜୋର୍ ଜବରଦସ୍ତ ଅନୈତିକ ସମ୍ପର୍କ ରଖି ଆସୁଥିଲା I ଏହା ସହିତ ବିଭିନ୍ନ ସମୟରେ ପୀଡ଼ିତା ମହିଳାଙ୍କ ଠାରୁ ଟଙ୍କା ପଇସା ଏବଂ ସୁନା ଅଳଙ୍କାର ମଧ୍ଯ ଜବରଦସ୍ତ ନେଇଯାଇଥିଲା I ମହିଳା ଜଣକ କୁମରର ଧମକ ଏବଂ ଲୋକଲଜ୍ଜାକୁ ଭୟ କରି କାହାକୁ ଏ ବିଷୟରେ ନକହି ଦଶ ବର୍ଷ ଧରି ସହି ଆସୁଥିଲେ I କିନ୍ତୁ କୁମରର ଅତ୍ୟାଚାର ଦିନକୁଦିନ ବଢି ଚାଲିବାରୁ ମହିଳା ଜଣଙ୍କ ଅସହ୍ୟ ହୋଇ ଗାଙ୍ଗପୁର ଥାନାରେ କୁମର ବିରୁଦ୍ଧରେ ଏତାଲା ଦେଇଥିଲେ I ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ କୁମରକୁ ଗିରଫ କରି ଘଟଣା ସମ୍ପର୍କରେ ତନାଘନା କରିବା ସହିତ କୁମର ନିକଟରୁ 22 ଗ୍ରାମ୍ ସୁନା ଜବତ କରି ମହିଳାଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି I ଏନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 181/23 ରେ ଏକ ମାମଲା ରୁଜୁ କରାଯାଇ କୁମରକୁ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ
