You are currently viewing ସାନଖେମୁଣ୍ଡିରେ ବ୍ଲକ ସ୍ତରୀୟ ମନରେଗା ଓ ଗ୍ରାମୀଣ ଆବାସ ଯୋଜନା ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ ।
ସାନଖେମୁଣ୍ଡିରେ ବ୍ଲକ ସ୍ତରୀୟ ମନରେଗା ଓ ଗ୍ରାମୀଣ ଆବାସ ଯୋଜନା ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ ।

ସାନଖେମୁଣ୍ଡି , ୨୧/୦୩ – ( ଆଇ.ଯେ.ବି ବ୍ୟୁରୋ ) -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ୨୦୨୨-୨୩ ଆର୍ଥିକ ବର୍ଷ ଅନ୍ତର୍ଗତ ଅପ୍ରେଲ ପହିଲାରୁ ସେପ୍ଟେମ୍ବର ମଧ୍ୟରେ ସମ୍ପାଦିତ କରାଯାଇଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟ ବିଶେଷର ଆଜି ସାମାଜିକ ସମୀକ୍ଷା ସହ ଜନ ଶୁଣାଣୀ କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି । ବ୍ଲକ୍ ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତରେ ଉକ୍ତ ଅବଧିରେ କରାଯାଇଥିବା ଉପରୋକ୍ତ କାର୍ଯ୍ୟ ବିଶେଷର ଧାର୍ଯ୍ୟ ବ୍ୟୟ ଅଟକଳ , ଆଶାୟୀ ଶ୍ରମିକଙ୍କୁ ନିଶ୍ଚିତ କର୍ମନିଯୁକ୍ତି ସହ ମଜୁରୀ ପାଉଣା ପ୍ରଦାନର ନିୟମିତତା ଅନୁକ୍ଷଣ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀ ଚୟନ ଏବଂ ଧାର୍ଯ୍ୟ ଲକ୍ଷର ସଫଳତା ହାରକୁ ନେଇ ତର୍ଜମା କରାଯାଇଅଛି ।

ବ୍ଲକ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଆଜିର ଏହି ଶିବିରରେ ସମିତି ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାୟକ , ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ ବେହେରାଙ୍କ ସହ ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ପ୍ରଧାନ , ଜିଲ୍ଲା ସାମାଜିକ ସମୀକ୍ଷକ ରବୀନ୍ଦ୍ର କୁମାର ମଲାଣ ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ପଞ୍ଚୟତ ଜନପ୍ରତିନିଧି , ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଅଞ୍ଚଳ କନିଷ୍ଠ ଯନ୍ତ୍ରୀ ସମୂହଙ୍କ ସହ ପ୍ରକଳ୍ପ ଭିତ୍ତିରେ ଆଲୋଚନା କରିଥିଲେ । ମନରେଗା ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ଅରୁଣ କୁମାର ସ୍ୱାଇଁଙ୍କ ଦ୍ଵାରା ଉପସ୍ଥାପିତ ପ୍ରକଳ୍ପ ବିବରଣୀ , ଧାର୍ଯ୍ୟ ଲକ୍ଷ ସହ ସମ୍ପାଦିତ ହାର , ବ୍ୟୟ ଅଟକଳ ସହା କରାଯାଇଥିବା ଆର୍ଥିକ କାରବାର ନେଇ ବିସ୍ତୃତ ତଥ୍ୟକୁ ନେଇ ଶିବିରରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

କରାଯାଇଥିବା ଆଜିର ଜନଶୁଣାଣୀ ଓ ସାମାଜିକ ସମୀକ୍ଷା ପ୍ରକାରେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଅପ୍ରେଲ ୨୦୨୨ ଠାରୁ ସେପ୍ଟେମ୍ବର ୨୦୨୨ ଛଅ ମାସ ମଧ୍ୟରେ ସର୍ବମୋଟ ୬୩୭୪ ଗୋଟି ବ୍ୟକ୍ତିଗତ ଏବଂ ୮୨୧ ଗୋଟି ମିଳିତ ପ୍ରକଳ୍ପ କାର୍ଯ୍ୟ ସ୍ଥିରୀକୃତ ହୋଇଥିବା ବେଳେ ସମ୍ପ୍ରତି ୨୪୦୬ ଗୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଅଛି । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଥିବା ୩୦୨୩୭ ଆଶାୟୀ କାର୍ଡଧାରୀଙ୍କ ମଧ୍ୟରୁ ୨୮୪୭୪ ହିତାଧିକାରୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ସହ ପ୍ରକଳ୍ପ ଭିତ୍ତିକ ନିଶ୍ଚିତ କର୍ମନିଯୁକ୍ତି ପାଇଁ ୧୯ ଲକ୍ଷ୍ ୪୮ହଜାର ୨୦୦ ଶ୍ରମ ଦିବସ ଧାର୍ଯ୍ୟ ଲକ୍ଷ ରହିଥିବା ବେଳେ ସେଥିମଧ୍ୟରୁ ୧୬ ଲକ୍ଷ ୭୨ ହଜାର ୬୦୨ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଏହି ଅବଧିରେ ବ୍ଲକ ଅଞ୍ଚଳରେ ସର୍ବମୋଟ ୩୯ କୋଟି ୯୫ ଲକ୍ଷ ୪୭ ହଜାର ଟଙ୍କା ବ୍ୟୟ କରାଯାଇଥିବା ତଥ୍ୟ ରଖାଯାଇଛି ।