You are currently viewing ବେଲଗୁଣ୍ଠା ଏନ୍.ଏ.ସିରେ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆଣିଲେ ଦୁଇ ପୁର୍ବତନ କାଉନସିଲର: ନଗରପାଳଙ୍କ ମିଡିଆ ବାର୍ତ୍ତା ।
ବେଲଗୁଣ୍ଠା ଏନ୍.ଏ.ସିରେ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆଣିଲେ ଦୁଇ ପୁର୍ବତନ କାଉନସିଲର: ନଗରପାଳଙ୍କ ମିଡିଆ ବାର୍ତ୍ତା ।

ବେଲଗୁଣ୍ଠା-୫/୪-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଭିନ୍ନ କ୍ଷେତ୍ରରେ ଅନିୟମିତତା ତଥା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଟେଣ୍ଡର ଫିକ୍ସିଂ ହେଉଥିବା ନେଇ ଦୁଇ ପୁର୍ବତନ କାଉନସିଲର ଅଭିଯୋଗ ଆଣିଛନ୍ତି ।ଦୁଇ କାଉନସିଲର ହେଲେ ଲିଙ୍ଗରାଜ ପାତ୍ର ଓ ଯତୀନ ପାତ୍ର । ସେମାନଙ୍କ ଅଭିଯୋଗ ପ୍ରକାରେ,ଗତ ୨୧ ତାରିଖରେ ଏନ୍ଏସି ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ନମ୍ବର ୬୫୨ ପ୍ରକାରେ ବିଭିନ୍ନ ୱାର୍ଡରେ ହେବାକୁ ଥିବା ୧୦ ଟି କାମର ଟେଣ୍ଡର ଆହ୍ବାନ କରାଯାଇଥିଲା ।ଏହି ଟେଣ୍ଡର ଏପ୍ରିଲ ୫ ତାରିଖରେ ଖୋଲା ହେବାପାଇଁ ବିଜ୍ଞାପନରେ ଦର୍ଶାଯାଇଥିଲା କିନ୍ତୁ ସେଥିରୁ କିଛି କାମ ଟେଣ୍ଡର ଖୋଲା ନ ହେବା ପୂର୍ବରୁ କିଛି ନିର୍ଦିଷ୍ଟ ଠିକାଦାର କାମ ଆରମ୍ଭ କରିଦେଇଥିବା ନେଇ ଲିଙ୍ଗରାଜ ଓ ଯତୀନ ଅଭିଯୋଗ କରିଛନ୍ତି ।ଏ ନେଇ ଦୁହେଁ ଗଞ୍ଜାମ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । କିନ୍ତୁ ଏନ୍.ଏ.ସି ପ୍ରଶାସନ ଏହାକୁ ଖଣ୍ଡନ କରିବା ସହିତ ଆରମ୍ଭ ହୋଇଥିବା କାମ ଗୁଡିକ ପୁରୁଣା ବୋଲି କହିବା ସହିତ ଯଦି କେହି ଠିକାଦାର ୨୧ତାରିଖ ଟେଣ୍ଡରରର କାର୍ଯ୍ୟାଦେଶ ନ ପାଇ କାମ କରୁଥିଲେ ସେଥିପାଇଁ ସେମାନେ ଦାୟି ରହିବେ ବୋଲି ପ୍ରକାଶ କରିଛନ୍ତି ।ଏ ପଟେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ ଏକ ଗଣମାଧ୍ୟମ ଉଦ୍ଦେଶ୍ୟରେ ଏକ ଇସ୍ତାହାର ଦେଇ କହିଛନ୍ତି ଯେ, ଅଭିଯୋଗ କାରୀ ଉଦେଶ୍ୟ ମୁଳକ ଭାବେ ବେଲଗୁଣ୍ଠା ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରି ସହରରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି । ଟେଣ୍ଡର ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ ।ତାହା ପ୍ରକାଶ କରିବା ପାଇଁ ସେମାନେ ବିଭିନ୍ନ ଗଣମାଧ୍ୟମର ସହାୟତା ନେଉଛନ୍ତି । ତେଣୁ କୌଣସି ଗଣମାଧ୍ୟମ ଏପରି ଅଭିଯୋଗକୁ ପ୍ରକାଶିତ କରିବା ପୁର୍ବରୁ ସରକାରୀ ସ୍ତରରେ ସତ୍ୟାସତ୍ୟ ଅନୁସନ୍ଧାନ କରି ପ୍ରକାଶ କରିବା ପାଇଁ ନଗରପାଳ ଶ୍ରୀ ସେଠୀ ଜଣାଇଛନ୍ତି ।

ରିପୋର୍ଟ-ଶିବରାମ ଚୌଧୁରୀ