You are currently viewing ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାର ଗ୍ରହଣ କଲେ ଉପାଧ୍ୟକ୍ଷା ସୁକାନ୍ତି
ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାର ଗ୍ରହଣ କଲେ ଉପାଧ୍ୟକ୍ଷା ସୁକାନ୍ତି

ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ଅକାଳ ବିୟୋଗ ପରେ ଶୁକ୍ରବାର ଦିନ ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ । ଖବରନୁଯାୟୀ , ସ୍ୱଳ୍ପ ବୟସରେ ରାଜନୀତିରେ ପାଦ ଦେଇ ସମିତି ସଭ୍ୟ ଭାବେ ବିପୁଳ ଭୋଟରେ ବିଜୟୀ ହେବାପରେ ଅପ୍ରତିଦ୍ଵନ୍ଦୀ ଭାବେ ଜିତି ବ୍ଳକ ଅଧ୍ୟକ୍ଷା ହୋଇଥିବା ସ୍ବର୍ଗୟା ସେଠୀ ରକ୍ତହୀନତା ଭଳି ରୋଗରେ ପୀଡିତ ହୋଇ ଗତ ୧୧ ଜୁନ୍ ରବିବାର ଅପରାହ୍ନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଯାହାଫଳରେ ଦୀର୍ଘ ଦିନ ହେଲା ଏହି ପଦବୀ ଖାଲି ପଡ଼ି ରହିଥିଲା । ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚିଠି ନଂ ୧୦୦୯/୨୩ ଏବଂ ଓଡିଶା ପଞ୍ଚାୟତ ସମିତି ଅଧିନିୟମ ୧୯୫୯ ଧାରା ୨୦-ଏ (୩) ଅନୁଯାୟୀ ବ୍ଳକ ଉପାଧ୍ୟକ୍ଷା ତଥା ଫସିଗୁଡା ସମିତି ସଭ୍ୟା ସୁକାନ୍ତି ପ୍ରଧାନଙ୍କୁ ଅଧ୍ୟକ୍ଷା ଭାର ଗ୍ରହଣ କରିବା ପାଇଁ ଅନୁମତି ଦିଆଯାଇଥିଲା । ଯାହାଫଳରେ ଆଜିଠାରୁ ବ୍ଳକର ନୂତନ ଅଧ୍ୟକ୍ଷା ନିର୍ବାଚିତ ହେବା ପର୍ଯ୍ୟନ୍ତ ସେ ଦାୟିତ୍ଵ ନିର୍ବାହ ସମାପନ କରିପାରିବେ । ଯାହାକୁ ନେଇ ଅଧ୍ଯକ୍ଷାଙ୍କ କାର୍ଯ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିଥିବା ଅଧ୍ଯକ୍ଷା ଶ୍ରୀମତୀ ପ୍ରଧାନଙ୍କୁ ବ୍ଳକ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ , ବରିଷ୍ଠ କିରାଣୀ ଚଞ୍ଚଳା ମାଝୀ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିସହ ବ୍ଳକ ବିଜେଡି ସଭାପତି ତଥା ବିଧାୟକ ପ୍ରତିନିଧି ବିଭୂତି ଭୂଷଣ ମହାପାତ୍ର , ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ସାଂସଦ ପ୍ରତିନିଧି ନିରୂପମା ପଟ୍ଟନାୟକ , ପୂର୍ବତନ ନଗରପାଳ ଭି . ରବିନାରାୟଣ ରାଜୁ , ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ , ପଦ୍ମନାଭପୁର ପୂର୍ବତନ ସରପଞ୍ଚ ବି .କ୍ରିଷ୍ଣାରାଓ ସୁବୁଦ୍ଧି , କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଗଡଗୋବିନ୍ଦପୁର ସରପଞ୍ଚ ରଞ୍ଜନ କୁମାର ସାହୁ , ଜକର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ , ଖମ୍ବାରୀ ଗାଁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼ , ଚଷାନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ଼ , ସମିତି ସଭ୍ୟ ପ୍ରତିନିଧି ତ୍ରିପତି ପ୍ରଧାନ, ସମବାୟ ସଭାପତି ରାମେଶ୍ୱର ପାଣିଗ୍ରାହୀ ସମେତ ଅନ୍ୟାନ୍ୟ ବିଜୁ ଜନତା ଦଳ କର୍ମକର୍ତ୍ତା ଉପସ୍ଥିତ ରହି ସମ୍ବର୍ଦ୍ଧିତ ଜଣାଇଥିଲେ । ଅନ୍ୟପକ୍ଷରେ ବ୍ଳକ ଅଧ୍ୟକ୍ଷା ପଦବୀ ହାସଲ ପାଇଁ ବର୍ତ୍ତମାନ ଦୁଇ ବିଜେଡି ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଆଗାମୀ ଅଧ୍ଯକ୍ଷା ନିର୍ବାଚନ ପରେ କାହାର ପଲା ଭାରି ରହିବ ତାହା ଦେଖିବାକୁ ବାକି ରହିଲା ବୋଲି ବ୍ଳକର ଜନ ସାଧାରଣ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା