You are currently viewing ପଦ୍ମନାଭପୁରରେ ବ୍ଳକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ ମେଳା ଅନୁଷ୍ଠିତ
ପଦ୍ମନାଭପୁରରେ ବ୍ଳକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ ମେଳା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପରିସରରେ
ମଙ୍ଗଳବାର ପୂର୍ବାହ୍ନରେ ବ୍ଳକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଶିକ୍ଷା ଅଭିଯାନ ଆନୁକୁଲ୍ୟରେ ଆୟୋଜିତ ପ୍ରଦର୍ଶନୀ ଶିବିରରେ ଦିଗପହଣ୍ଡି ବ୍ଳକ ଉନ୍ନୟନ ଅଧିକାରୀ ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରପଞ୍ଚ ବି . ସନ୍ଧ୍ୟାରାଣୀ ସୁବୁଦ୍ଧି , ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧି , ରସାନନ୍ଦ ଘଡେଇ , ବିଶ୍ରବା ପାଇକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୌଳିକ ଶିକ୍ଷଣ ଦକ୍ଷତା ପାଇଁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ବନ୍ଧୀୟ ପ୍ରଦର୍ଶନୀ ମେଳାର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଆୟୋଜିତ ପ୍ରଦର୍ଶନୀ ମେଳାରେ ବ୍ଳକ ଅଧିନସ୍ଥ ୧୬ ଗୋଟି କ୍ଳଷ୍ଟରର ୧୦୮ ଗୋଟି ବିଭିନ୍ନ ଭାଷା ଓ ଗଣିତ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶନୀ କରାଯାଇଥିଲା । ଏହି ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରିବା ପାଇଁ ଦୁଇ ଶିକ୍ଷକ ପ୍ରଶିକ୍ଷୀକା ନିବେଦିତା ପାଢୀ ଓ ପ୍ରଜ୍ଞା ପରମିତା ବିଚାରକ ଭାବେ ଯୋଗ ଦେଇଥିଲେ । ସଠିକ ମୂଲ୍ୟାୟନ ପରେ ଉଭୟ ଭାଷା ଓ ଗଣିତ ସମ୍ବନ୍ଧୀୟ ପ୍ରଦର୍ଶିତ ପ୍ରକଳ୍ପରୁ ୩ ଗୋଟି ଲେଖାଏଁ ମନୋନୀତ କରାଯାଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ବିଦ୍ୟାଳୟକୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ସହକାରୀ ଶିକ୍ଷାଧିକାରୀ ବାଳା ମାଝୀ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତ ଲତା ମହାରଣା , ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସିଆରସିସି ମାନେ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ । ଶେଷରେ କ୍ଳଷ୍ଟର ସିଆରସିସି ବଳରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।