ବିଶାଖାପାଟଣା , ୧୪/୧୧ – ( ଯଶୋବନ୍ତ ପାଢ଼ୀ ) -:- ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବିଶାଖାପାଟଣାରେ ନିର୍ମିତ ପଭୁ ଶ୍ରୀ ଭେଙ୍କଟେଶ୍ୱରଙ୍କ ମନ୍ଦିର।
୨୮ କୋଟି ଟଙ୍କା ଖର୍ଚ୍ଚରେ ତିରୁପତି ଦେବସ୍ଥାନ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବିଶାଖାପାଟଣାର ଋଷିକୋଣ୍ଡ ନିକଟରେ ଗୋଟିଏ ପାହାଡ଼ ଉପରେ ଏହି ମନ୍ଦିର ନିର୍ମିତ ହୋଇଛି। ପାହାଡ଼ ଉପରେ ନିର୍ମିତ ଏହି ମନ୍ଦିର ଦେଖିବାକୁ ଯେତିକି ଆକର୍ଷଣୀୟ ଏହାର ଚତୁରପାର୍ଶ୍ଵର ସୋନ୍ଦର୍ଯ୍ୟ ଅଧିକ ଲୋଭନୀୟ। ପାହାଡ଼ ଗୋଟିଏ ପେଟ ସବୁଜ ବନାନୀ ରହିଥିବା ବେଳେ ଅପରପାର୍ଶ୍ବରେ ବଙ୍ଗୋପସାଗରର ଜଳରାଶି ଲୋକଙ୍କୁ ଉତ୍ସାହିତ କରୁଛି।

ଏହି ମନ୍ଦିର ଖୋଲାହେବା ଦିନ ଠାରୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଏଠାକୁ ଦର୍ଶନ ପାଇ ଆସୁଛନ୍ତି। ଠାକୁର ଦର୍ଶନ ପାଇଁ ତିରୁପତି ଯାଇପାରିନଥିବା ପର୍ଯ୍ୟଟକ ମାନେ ଏଠାରେ ଠାକୁର ଦର୍ଶନ କରିଛନ୍ତି ଓ ନିକଟରେ ଥିବା ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଉଛନ୍ତି। ଓଡ଼ିଶା, ଛତିଶଗଡ, ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରୁ ସିମଞ୍ଚଳ ଦର୍ଶନ ପାଇଁ ଆସୁଥିବା ପ୍ରତ୍ୟେକ ଭକ୍ତ ଦର୍ଶନ ପରେ ଏଠାରେ ପହଞ୍ଚିଯାଉଛନ୍ତି। ବଙ୍ଗୋପସାଗରର ପଦ ଦେଶରୁ ପାହାଡ଼ ଉପରକୁ ଅଙ୍କାବଙ୍କା ହୋଇ ପଡ଼ିଥିବା ପିଚୁ ରାସ୍ତା ସହ ଉଭୟ ପାର୍ଶ୍ଵରେ ଥିବା ବିଶାଳ ଗଛର ଛାଇ ପର୍ଯ୍ୟଟକଙ୍କ ମନ ମୋହୁଛି। ଏଠାରେ ଠାକୁର ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ମନ୍ଦିର ପକ୍ଷରୁ ଫ୍ରି ପ୍ରସାଦ ସେବନର ବ୍ୟବସ୍ଥା ରହିଛି, ଯାହାଦ୍ଵାରା ଭକ୍ତ ମାନେ ପ୍ରସାଦ ସେବନ ପରେ ସନ୍ଧ୍ୟା ଯାଏ ଏଠାରେ ରହି ସୌନ୍ଦର୍ଯ୍ୟର ଉପଭୋଗ କରୁଛନ୍ତି। ବିଶାଖାପାଟଣାରେ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଦୁଇ ବର୍ଷ ପୂର୍ବେ ଶ୍ରୀଭାରୀ ମନ୍ଦିର ନିର୍ମାଣ ପାଇଁ ଟିଟିଡି ଯୋଜନା କରିଥିଲା ବୋଲି ଟିଟିଡି ଚେୟାରମ୍ୟାନ୍ YV ସୁବା ରେଡ୍ଡୀ କହିଛନ୍ତି। ସନାତନ ଧର୍ମ ର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କରିଥିବା ଟି ଟି ଡି ଆଗାମୀ ଦିନରେ କାଶ୍ମୀର ଠାରୁ କନ୍ୟାକୁମାରୀ ମଧ୍ୟରେ ସମସ୍ତ ରାଜ୍ୟରେ ପଭୁ ଶ୍ରୀ ଭେଙ୍କଟେଶ୍ୱରଙ୍କ ଗୋଟିଏ ଗୋଟିଏ ମନ୍ଦିର ନିର୍ମାଣ ପାଇଁ ଯୋଜନା କରୁଛନ୍ତି ।

