ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚୁଡଙ୍ଗପୁର ଗ୍ରାମର ବ୍ୟବସାୟୀ ବି. ସାଗର ପାତ୍ରଙ୍କୁ ହତ୍ୟା ଉଦ୍ୟମ ଓ ଲୁଟ ମାମଲାରେ ମଙ୍ଗଳବାର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏକ ବାଇକ୍ , ମୋବାଇଲ ଓ ଏକ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ପାଟପୁର ଥାନା ସାହାସପୁର ଗ୍ରାମର ଏନ୍. ତ୍ରିପତି ଓରଫ ନନ୍ଦ ପାତ୍ର ,ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ବି.ଶିବ ପାତ୍ର , ଏ.ବଳରାମ ପାତ୍ର , ଏ.ସନ୍ତୋଷ ଓରଫ କିଷାନ ପାତ୍ର , ଜି.ବାସୁ ପାତ୍ର ରହିଥିବା ସୂଚନା ମିଳିଛି । ଖବରନୁଯାୟୀ , ସୋମବାର ଦିନ ଚୁଡଙ୍ଗପୁର ଗ୍ରାମର ବି. ସାଗର ପାତ୍ର ଡେଙ୍ଗାଓସ୍ତା ଗ୍ରାମରେ କାମ ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ ଗାଁ ନିକଟ ମୁଖ୍ୟରାସ୍ତା କଡର ଚିକେନ ଦୋକାନ ନିକଟରେ ଅଭିଯୁକ୍ତ ମାନେ ତାଙ୍କୁ ଅଟକାଇ ଗାଁ ଠାକୁରାଣୀ ଯାତ୍ରା ପାଇଁ ଚାନ୍ଦା ମାଗିଥିଲେ । ସେ ଚାନ୍ଦା ଦେଇ ସାରିଥିବା କହିବାରୁ ତୁମେ ପୁଣି ୧୦ ହଜାର ଚାନ୍ଦା ଦେବାକୁ ବାଧ୍ୟ କହି ତାଙ୍କୁ ସଂଘବଦ୍ଧ ଭାବେ ଅଚାନକ ଆକ୍ରମଣ କରିଥିଲେ । ତାଙ୍କ ପ୍ୟାଣ୍ଟ ପକେଟରୁ ଅଭିଯୁକ୍ତ ମାନେ ୧୫ ହଜାର ଟଙ୍କା ଜୋର୍ ଜବରଦସ୍ତ ଛଡାଇ ନେଇଥିଲେ । ସାଗର ମରିଗଲି ମରିଗଲି ମୋତେ ଉଦ୍ଧାର କର ବୋଲି ଚିତ୍କାର କରିବାରୁ ସେହି ରାସ୍ତା ଦେଇ ଦିଗପହଣ୍ଡି ଯାଉଥିବା ସାହାସପୁର ହାଟପଦା ଗ୍ରାମର ସନାତନ ବେହେରା ଅଭିଯୁକ୍ତଙ୍କ କବଳରୁ ସାଗରଙ୍କୁ ଉଦ୍ଧାର କରିବାକୁ ଯିବାରୁ ଅଭିଯୁକ୍ତ ମାନେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ପକେଟ ରୁ ୫୨୦୦ ଏବଂ ମୋବାଇଲ ଫୋନ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଖବରପାଇ ସାଗରଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ହେବା ପରେ ସାଗର ଦିଗପହଣ୍ଡି ଥାନା ରେ ପହଞ୍ଚି ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ଥାନା ମାମଲା ନଂ.୧୯୩/୨୩ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦେଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା କହିଛନ୍ତି।
