ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କରପଡା ପଞ୍ଚାୟତର ଚୁଡଙ୍ଗପୁର ଗ୍ରାମରେ ଦୀର୍ଘ ୯ ଦିନ ବ୍ୟାପୀ ଚାଲିଥିବା ଆରାଧ୍ୟ ଦେବୀ ମାଁ ଠାକୁରାଣୀ ଯାତ୍ରା ରବିବାର ଦିନ ଉଦଯାପିତ ହୋଇଯାଇଛି । ଯାତ୍ରା ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ଯାତ୍ରାରେ ପ୍ରତ୍ୟେକ ଦିନ ମାଁ ଙ୍କ ଦର୍ଶନ ନିମନ୍ତେ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କ ମଧ୍ୟରେ ଜନ ସମାଗମ ଦେଖିବାକୁ ମିଳୁଥିଲା । ଏଥିସହ ମାଁ ଙ୍କୁ ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା ସହ ଦୂର ଦୂରଦୂରାନ୍ତରୁ ଆସିଥିବା ଲୋକଙ୍କୁ ଆକୃଷ୍ଟ କରିବା ସକାଶେ ନବରଙ୍ଗୀ , ସାଂସ୍କୃତିକ କାର୍ଯ୍ୟକ୍ରମର ବନ୍ଦୋବସ୍ତ କରାଯାଇଥିଲା । ଆଜି ଶେଷ ତଥା ଉଦଯାପନୀ ଦିବସରେ ମାଁ ନିଜ ସ୍ବମନ୍ଦିରକୁ ପ୍ରତ୍ୟାଗମନ କରିଛନ୍ତି । ଏହି ଅବସରରେ ବିଭିନ୍ନ କଳାକାର ମାନଙ୍କୁ ନେଇ ଶ୍ରେଷ୍ଠ ସାମାଜିକ ନାଟକ ” ଅସତୀ ତୁଳସୀ ସତୀ ଚଉରାକୁ ” ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ଆଜି ତେନ୍ତୁଳି ଖୁଣ୍ଟର ମହାଭାରତ ନାଟକ ପରିବେଷଣ ହୋଇଥିଲା । ଏହାକୁ ୨୭ ନଂ ଜୋନ୍ ଜିଲ୍ଲା ପରିଷଦ ସଂଯୁକ୍ତା କବି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ସମିତି ସଭ୍ୟ ପ୍ରତିନିଧି ବିଶ୍ବନାଥ ପ୍ରଧାନ ସମେତ ପରିଚାଳନା କମିଟି ସଭାପତି ଶିରିଶ ପ୍ରସାଦ ଦାସ , ସଂପାଦକ ପ୍ରଦୀପ କବି , ନରସିଂହ କବି , କୁରେଶୁ କବି , ରବିନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଅନ୍ୟ କମିଟି ସଦସ୍ୟମାନେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ । ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା
