You are currently viewing ଗରିବଙ୍କୁ ମୋ ଘର ଯୋଜନାରେ ଗୃହଋଣ କରାଯିବା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗରିବଙ୍କୁ ମୋ ଘର ଯୋଜନାରେ ଗୃହଋଣ କରାଯିବା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ସୋମବାର ଦିନ ସାନଖେମୁଣ୍ଡିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦିତ ” ମୋ ଘର” ଯୋଜନାରେ ଗରୀବ ହିତାଧିକାରୀଙ୍କୁ ପକ୍କା ଘର ନିର୍ମାଣ ନିମନ୍ତେ ଗୃହଋଣ ପ୍ରଦାନ କରାଯିବା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଳକ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ରଙ୍କ ଅଧ୍ଯକ୍ଷତାରେ ବ୍ଳକ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ସଂଯୋଜନା କରିଥିଲେ । ସେହିପରି ଅତିରିକ୍ତ ବ୍ଳକ ଉନ୍ନୟନ ଅଧିକାରୀ ବୈଜୟନ୍ତ ମୁଣ୍ଡା , ବ୍ଳକ ଉପାଧ୍ୟକ୍ଷା ରିଙ୍କି ନାହକ , ଏ ଡାବ୍ଳୁ ଇ ସନ୍ଦୀପ ବେହେରା ସମେତ ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକ ମାନେ ଉପସ୍ଥିତ ରହିଥିଲେ । ଖବରପ୍ରକାରେ , ୫ ମ ପାଳି ସରକାରଙ୍କ ୪ ର୍ଥ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କ ପାଇଁ ବଡ଼ ଉପହାର ଆଣିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଘର ଯୋଜନା । ରାଜ୍ୟର ବଳକା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ପ୍ରାଥମିକ ଦେଉଥିବା ବେଳେ ଏହି ଯୋଜନାରେ କିପରି ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ମାନେ ବ୍ୟାଙ୍କରୁ ଋଣ ନେଇ ନୂତନ ଗୃହ ନିର୍ମାଣ କରିପାରିବେ ତାହାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ଳକ ଜନ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ । ଏଥିସହ ଏହି ଯୋଜନାରେ ୪ ପ୍ରକାର ଋଣ ନେବାର ବ୍ୟବସ୍ଥା ରହିଥିବା ବେଳେ ହିତାଧିକାରୀମାନେ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଗୃହଋଣ ନେଇପାରିବେ । ସର୍ବନିମ୍ନ ୩୦ ହଜାର ଟଙ୍କାରୁ ସର୍ବାଧିକ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ରାଶି ପ୍ରଦାନ କରାଯିବା ସହ ହିତାଧିକାରୀମାନେ ଋଣ ପରିଶୋଧ ନିମନ୍ତେ ପ୍ରଥମ ବର୍ଷକୁ ବାଦ ଦେଇ ଅବଶିଷ୍ଟ ଅର୍ଥରାଶି ୧୦ ବର୍ଷରେ ପରିଶୋଧ କରିପାରିବେ ବୋଲି ବୈଠକରେ ଆଲୋକପାତ କରାଯାଇଥିଲା ‌ । ଏନେଇ ଚଳିତ ମାସ ୧୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଗରିବ ଲୋକମାନେ ଆବେଦନ ମଧ୍ୟ କରିପାରିବେ । ଏହି ବୈଠକରେ ସାନଖେମୁଣ୍ଡି ବ୍ଳକର ସମସ୍ତ ଜିଲ୍ଲା ପରିଷଦ , ସରପଞ୍ଚ , ସମିତି ସଭ୍ୟ ସମେତ ପଞ୍ଚାୟତ ଅଧିନରେ କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ , ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।

ପାଟପୁର ପ୍ରତିନିଧି କିରଣ କୁମାର ବେହେରା