You are currently viewing ସମସ୍ୟା ଭିତରେ ଆରଜିଏଚ୍
ସମସ୍ୟା ଭିତରେ ଆରଜିଏଚ୍

ରାଉରକେଲା,
ରାଉରେଲାରେ ସରକାରୀ ଡାକ୍ତରଖାନାରେ ଡ଼ାକ୍ଟର ଓ ଭିତ୍ତିଭୂମି ଅଭାବ ଉନ୍ନତ ସ୍ୱାସ୍ଥ୍ୟସେବା ରେ ବାଧକ ସୃଷ୍ଟି ହେଉଥିବା ବେଳେ ବିଭିନ୍ନ ସମୟରେ ଏହା ଚିନ୍ତାର କାରଣ ହୋଇଛି। ରାଜ୍ୟ ସରକାର ଜୁନ ୬ତାରିଖରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଖାଲିପଡ଼ିଥିବା ଡାକ୍ତର ପଦ ପୂରଣ ପାଇଁ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି କ୍ରମ ରେ ରାଉରକେଲା ସରକାରୀ ଡାକ୍ତରଖାନା ପାଇଁ ୧୯ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନେ ସମସ୍ତେ ଏମବିବିଏସ ଡାକ୍ତର ଅଛନ୍ତି।ଏହି ଡାକ୍ତରଙ୍କ ମଧ୍ୟରୁ ମାତ୍ର ୪ଜଣ ଯୋଗୋଦେଇଥିବା ବେଳେ ଆଉ ୧୫ଜଣ କେବେ ଯୋଗୋଦେବେ ତାକୁ ଅପେକ୍ଷା ରହିଛି। ଉଲ୍ଲେଖଯୋଗ୍ୟ ଏହି ଡାକ୍ତରଖାନା ରେ ମଞ୍ଜୁରିପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ୭୪ ଥିବାବେଳେ ୪୭ଜଣ ଡାକ୍ତର ଅଛନ୍ତି। ଏଠାରେ ୧୨୮ ଟି ମଞ୍ଜୁରିପ୍ରାପ୍ତ ଶଜ୍ୟା ଥିଲେ ମଧ୍ୟ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏଠାରେ ୪୦୦ ଶଜ୍ୟା କାର୍ଯ୍ୟକାରୀ ହେଉଛି।ସରକାରଙ୍କ ପକ୍ଷରୁ ଏହି ଅବଶିଷ୍ଟ ଶଜ୍ୟା ପାଇଁ ରୋଗୀଙ୍କ ଖାଦ୍ୟ ଓ ଆନୁସଙ୍ଗିକ ବ୍ୟବସ୍ଥା କରିଛନ୍ତି,କିନ୍ତୁ ଡାକ୍ତରଖାନାର ଭିତ୍ତିଭୂମି ଓ ମାନବ ସମ୍ବଳ ବ୍ୟବସ୍ଥା ଚିନ୍ତାର କାରଣ ହୋଇଛି। ସାଧାରଣ ଆଇସିୟୁ ସହ ପିଲାମାନଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା,ସ୍ନାୟୁ ବିଜ୍ଞାନ,ସ୍ନାୟୁ ସର୍ଜରୀ ଓ ହୃଦରୋଗ ବିଭାଗ ର ଡାକ୍ତର ନାହାନ୍ତି। ସମ୍ପ୍ରତି ଡାକ୍ତର ନିଯୁକ୍ତି କରିବା ସ୍ବାଗତଯୋଗ୍ୟ କଥା,କିନ୍ତୁ ଉପରୋକ୍ତ ବିଭାଗର ବିଶେଷଜ୍ଞ ଡାକ୍ତର ଏଠାରେ ତୁରନ୍ତ ନିଯୁକ୍ତିର ଆବଶ୍ୟକତା ରହିଛି।ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍ ଆରଜିଏଚ ପରିଦର୍ଶନ ପରେ ଏହାର ସାମଗ୍ରିକ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ବିଶେଷ କରି ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆବଶ୍ୟକ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଏବେ ଡାକ୍ତରଖାନାରେ ୧୯୫ ନର୍ସ(ସେବିକା) ରହିଥିବାବେଳେ ୧୮ଜଣ ଟେକ୍ନିସିଆନ ବୈଷୟିକ(ସହାୟକ)ଅଛନ୍ତି।ରୋଗୀଙ୍କ ସଂଖ୍ୟାକୁ ଏହି ସଂଖ୍ୟା ବୃଦ୍ଧି ହେବାର ଆବଶ୍ୟକତା ରହିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଓ ଆରମସି କର୍ତ୍ତୃପକ୍ଷଙ୍କୁ ଦେଇଥିବା ପତ୍ରରେ ଗେଟରେ ଘରୋଇ ଆମ୍ବୁଲାନ୍ସ ର ଅତ୍ୟଧିକ ଯୋଗୁଁ ସରକାରଙ୍କ ୧୦୮ ରୋଗିବୁହା ଯାନ ପଶିବାରେ ଅସୁବିଧା ହେଉଛି ଓ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଦର୍ଶାଇଛନ୍ତି। ସାଧାରଣ ଲୋକଙ୍କ ଡାକ୍ତରଖାନା ଭାବେ ପରିଚିତ ରାଉରକେଲା ସରକାରୀ ଡାକ୍ତରଖାନାରେ ସୁପର ସ୍ପେସିଆଲିଟି ସୁବିଧା ପ୍ରଦାନ ସହ ଏହାର ସାମଗ୍ରିକ ବିକାଶ ପାଇଁ ସରକାର ତୁରନ୍ତ ପଦକ୍ଷେପ ପାଇଁ ଦାବି ହେଉଛି। ଏହା ସହ ଡାକ୍ତରଖାନା ପରିସରରେ ସୁସ୍ଥ ଓ ନିରାପଦ ବାତାବରଣ ପାଇଁ ସମସ୍ତଙ୍କ ସହଯୋଗର ଏକାନ୍ତ ଆବଶ୍ୟକତା ରହିଥିବା ମତପ୍ରକାଶ ପାଉଛି।