ପବିତ୍ର ଗୁଣ୍ଡିଚା ଯାତ୍ରା ପରମ୍ପରା ଭଳି ଦିଗପହଣ୍ଡିରେ ଶ୍ରୀ ଜଗନ୍ନାଥଙ୍କ ବାସି ବାହୁଡାଯାତ୍ରା ମଧ୍ୟ ଗୁରୁବାର ସମ୍ପନ୍ନ ହୋଇଛି । ଗତକାଲି ଅପରାହ୍ନରେ ଗୋଟି ପହଣ୍ଡିରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସମେତ ଚକ୍ରରାଜ ସୁଦର୍ଶନଙ୍କୁ ରଥାରୂଢ କରାଯାଇଥିଲା।ପରେ ରଥ ଉପରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ସନ୍ଧ୍ୟା ଆଳତୀ କରାଯାଇଥିଲା । ରବିବାର ପବିତ୍ର ବଡ ଏକାଦଶୀ ତିଥିରେ ସକାଳୁ ଦିନତମାମ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରେ ବିଜେ ଶ୍ରୀ ଜିଉ ମାନେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ପୂର୍ବାହ୍ନ, ମଧ୍ଯାହ୍ନ ଏବଂ ଅପରାହ୍ନର ସମସ୍ତ ନୀତିକାନ୍ତି ରଥ ଉପରେ ଶେଷ ହେବାପରେ ଠିକ୍ ୪.୪୦ ମିନିଟରେ ଶ୍ରୀମନ୍ଦିର ଆଡକୁ ରଥ ଗଡିବା ଆରମ୍ଭ କରିଥିଲା । ଘଣ୍ଟ, କାହାଳୀ, ସଂକୀର୍ତ୍ତନ ସହ ହରିବୋଲ ହୁଳହୁଳି ଧ୍ବନିରେ ବଡଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା । ବଡଦାଣ୍ଡରେ ସହସ୍ରାଧିକ ଭକ୍ତଙ୍କ ରଥଟଣା ଦୃଶ୍ୟ ସତେଯେମିତି ଜନସମୁଦ୍ର ଲହଡି ଭାଙ୍ଗିବା ଭଳି ଦୂରକୁ ପ୍ରତୀତ ହେଉଥିଲା।ରଥ ଗୁଡିଆଗଳି ନିକଟରେ ପହଞ୍ଚିବା ପରେ ରାଜ ପୁରୋହିତ ଦେବୀପ୍ରସାଦ ରଥଙ୍କ ତତ୍ତ୍ୱାବଧାନରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିମାନରେ ଆସି ଜଗନ୍ନାଥଙ୍କ ସମ୍ମୁଖରେ ବିଜେ ହୋଇଥିଲେ।ରଥ ଉପରେ ବନ୍ଦାପନା ଓ ଲକ୍ଷ୍ମୀଭେଟ ନୀତି ସମ୍ପନ୍ନ ହେବାପରେ ପୁଣି ରଥ ଟଣାଯାଇ ୫.୩୫ ମିନିଟରେ ସିଂହଦ୍ଵାର ସମ୍ମୁଖରେ ଲାଗିଥିଲା । ସନ୍ଧ୍ୟାରେ ଅନୁଷ୍ଠିତ ରାଜାବେଶ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସେହିଭଳି ସାନରଥ ଉପରେ ବିଜେ ଶ୍ରୀ ଦଧିବାମନଙ୍କ ବାହୁଡାଯାତ୍ରା ମଧ୍ୟ ଯଥାରୀତି ହୋଇଥିଲା । ମହିଳା ପୋଲିସ ଅଧିକାରୀ ଏ. ସ୍ବର୍ଣ୍ଣଲତା ପାତ୍ରଙ୍କ ତତ୍ତ୍ୱାବଧାନରେ ପୋଲିସ ବାହିନୀ ଶୃଙ୍ଖଳିତ ରଥଟଣାରେ ସହଯୋଗ କରିଥିଲେ।
ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା
