You are currently viewing ମନରେଗାରେ ମହା ଘୋଟାଲା ଅଭିଯୋଗ,ବ୍ଲକ ଘେରିଲେ ଖଣ୍ଡିଆନଈର ପଞ୍ଚାୟତବାସୀ
ମନରେଗାରେ ମହା ଘୋଟାଲା ଅଭିଯୋଗ,ବ୍ଲକ ଘେରିଲେ ଖଣ୍ଡିଆନଈର ପଞ୍ଚାୟତବାସୀ

କୋଦଳା (୦୬/୧୦ /୨୦୨୩)
ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦିନକୁ ଦିନ ଦୁର୍ନୀତିର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ଉଦ୍ଦେଶ୍ଯରେ କେନ୍ଦ୍ର ସରକାରଙ୍କ ଉକ୍ତ ଯୋଜନା ଏବେ ବିବାଦ ଭିତରେ ଛନ୍ଦି ହେଉଛି। ଏପରିକି ଉକ୍ତ ଯୋଜନା ଏବେ ଲକ୍ଷ୍ୟ ଠାରୁ ଦୂରେଇ ଯାଉଥିବା ନଜରକୁ ଆସୁଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ଏବେ ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ଘୋଟାଲା ହେଉଥିବା ଅଭିଯୋଗ ହେଉଛି। ଶୁକ୍ରବାର ଏହି ବ୍ଲକର ଖଣ୍ଡିଆନଈ ପଞ୍ଚାୟତବାସୀ ଉକ୍ତ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ଶହ ଶହ ସଂଖ୍ଯାରେ ମହିଳା ଓ ପୁରୁଷ ଶ୍ରମିକ ବେଗୁନିଆପଡ଼ା ବ୍ଳକ ଘେରାଉ କରିବା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀଙ୍କୁ ଏନେଇ ଅବଗତ କରାଇଛନ୍ତି। ଶ୍ରମିକ ମାନଙ୍କ ଅଭିଯୋଗ ଅନୁଯାୟୀ, ସରକାରଙ୍କ ଧାର୍ଯ୍ଯ ଅନୁସାରେ ସେମାନଙ୍କୁ ପ୍ରାପ୍ଯ ମିଳୁନି, ଏହି ଯୋଜନାରେ ଗାଁ ସାଥୀ ଜରିଆରେ କାର୍ଯ୍ୟ କରାଯାଉଛି। ଶ୍ରମିକଙ୍କ ବ୍ଯାକଂ ଖାତାକୁ ଦୈନିକ ମଜୁରୀ ୨୨୨ ଟଙ୍କା ଆସୁଥିବା ବେଳେ ସେମାନଙ୍କୁ ୧୬୦ ଟଙ୍କା ରଖି ବଳକା ଟଙ୍କା ଫେରାଇବା ପାଇଁ ବାଧ୍ଯ କରାଯାଉଥିବା ଶତାଧିକ ଶ୍ରମିକ ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଉକ୍ତ ଯୋଜନାର କାର୍ଯ୍ୟ ଦେଖାଶୁଣା ପାଇଁ ଗାଁ ସାଥୀ ଓ ଜିଆରଏସ୍ ନିଯୁକ୍ତି ପାଇଥିଲେ ମଧ୍ୟ ଗ୍ରାମ ଗୁଡିକରେ ଠିକାଦାର ସୃଷ୍ଟି ହେଉଛି। ଠିକାଦାର ମାନେ ଏଭଳି ଚଞ୍ଚକତା କରି ଶ୍ରମିକ ମାନଙ୍କ ଅର୍ଥ ହରିଲୁଟ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେପଟେ ଉକ୍ତ ଯୋଜନା ଅନ୍ତର୍ଗତ ମୋ ଉପକାରୀ ବଗିଚା ସହାୟତା ରାଶି ପାଇଁ ଆବେଦନ କଲେ ମଧ୍ୟ ଜିଆରଏସ୍ ଚଞ୍ଚକତା କରି ତାଙ୍କ ମନମୁଖୀ କାର୍ଯ୍ଯ କରୁଛନ୍ତି। ଫଳରେ ୩୦୦ ରୁ ଉର୍ଦ୍ଧ୍ବ ହିତାଧିକାରୀ ମୋ ଉପକାରୀ ବଗିଚା ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ସେହିପରି ଉକ୍ତ ଯୋଜନା ଅନ୍ତର୍ଗତ ଜମି ଉର୍ନ୍ନତି କରଣ ପାଇଁ ମଧ୍ୟ ବାରମ୍ବାର ଆବେଦନ କଲେ ମଧ୍ୟ କୌଣସି ପଦକ୍ଷେପ ନେଉନି ପଞ୍ଚାୟତ ।ଏ ସମସ୍ତ ଅଭିଯୋଗ ନେଇ ଶୁକ୍ରବାର ଖଣ୍ଡିଆନଈ ଗ୍ରାମ ପଞ୍ଚାୟତର ୩୦୦ ରୁ ଉର୍ଦ୍ଧ୍ବ ମନରେଗା ଶ୍ରମିକ ପ୍ରତିବାଦ କରିବା ପରେ ବହୁ ହିତାଧିକାରୀଙ୍କ ଉଦେଶ୍ୟ ମୂଳକ ଭାବେ ଜବ୍ କାର୍ଡ ବନ୍ଦ କରି ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି। ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ବିଭାଗୀୟ କର୍ମଚାରୀ ମାନଙ୍କୁ ଡାକି ଆଲୋଚନା କରିଛନ୍ତି ଏବଂ ଏନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି
।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।