You are currently viewing ଅନୁଷ୍ଠିତ ହେଲା ପ୍ରତିଷ୍ଠା ଦିବସ।
ଅନୁଷ୍ଠିତ ହେଲା ପ୍ରତିଷ୍ଠା ଦିବସ।

ଗତ 25 ଡିସେମ୍ବରରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ତଥା କେଶରକ୍ଷେତ୍ର ଭାବେ ପରିଚିତ ଚଣ୍ଡେଶ୍ଵରର ଶ୍ରୀ ଚଣ୍ଡୀହର ମହାଦେବ ମନ୍ଦିର ପରିସରରେ ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘର ଅନୁଷ୍ଠିତ ହେଲା ପ୍ରତିଷ୍ଠା ଦିବସ।ଏହିକ୍ରମ ରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଥିବା ଶୈବପୂଜକ ମାନଙ୍କ ସମସ୍ୟା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ଦିନରେ ସରକାରଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରସ୍ତୁତ ହେଲା ରଣନୀତି।ଠାକୁରଙ୍କ ସକାଳ ନୀତି ପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶୈବପୂଜକ ମାନେ ସମ୍ମିଳିତ ଭାବେ ଶ୍ରୀ ଚଣ୍ଡୀହରଙ୍କ ନିକଟରେ ଆଗାମୀ ନୂତନ ବର୍ଷ ନିମନ୍ତେ ରାଜ୍ୟର ମଙ୍ଗଳ କାମନା କରି ଜଳାଭିଷେକ ସହିତ ନାମ ସଂକୀର୍ତ୍ତନ କରିଥିଲେ।ତତ୍ପରେ ଶୈବପୂଜକ ମାନେଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିବା ସହ ସଭାସ୍ଥଳ କୁ ଆସିଥିଲେ।ଏହିକ୍ରମରେ ଗଞ୍ଜାମ ଜିଲ୍ଲା ଶୈବପୂଜକ ମାନଙ୍କ ପକ୍ଷରୁ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ କରାଯାଇଥିଲା।


ସଂଘର ପ୍ରତିଷ୍ଠାତା ସଭାପତି ପରମଶୈବ ଲଳିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଣ୍ଡିତ ବିଜୟ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଖଗେଶ୍ବର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଷ୍ଠା ଉତ୍ସବର ଶୁଭ ଉଦଘାଟନ କରିଥିଲେ।ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟୋମକେଶ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଅନୁଗୁଳ,ଗଞ୍ଜାମ,ଜଗତସିଂହପୁର, ଢେଙ୍କାନାଳ,କଟକ,ପୁରୀ,ଖୋର୍ଦ୍ଧା, ଏବଂ ନୟାଗଡ଼ ଜିଲ୍ଲାରୁ ଶତାଧିକ ଶୈବପୂଜକ ସାମିଲ ହୋଇଥିବାବେଳେ ସ୍ଥାନୀୟ ଶୈବପୂଜକ ମାନେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।