You are currently viewing ମୁକ୍ତା’ ଯୋଜନାକୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ |
ମୁକ୍ତା’ ଯୋଜନାକୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ |

ଖଲ୍ଲିକୋଟ : 22/1 କୋଭିଡ-୧୯ ମହାମାରୀ ସମୟରେ ଓଡିଶାର ସହରାଞ୍ଚଳରେ ବସବାସ କରୁଥିବା ସହସ୍ରାଧିକ ଗରିବ, ଅଣକୁଶଳୀ ଶ୍ରମିକ, ଅସୁରକ୍ଷିତ ବର୍ଗର ଲୋକମାନେ ତଥା ପ୍ରବାସୀ ଶ୍ରମିକ, ମହିଳା, କିନ୍ନର, ଭିନ୍ନକ୍ଷମ ବ୍ୟକ୍ତି ନିଜର ଜୀବିକା ହରାଇ ଗଭୀର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହି ପ୍ରତିକୂଳ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏପ୍ରିଲ, ୨୦୨୦ରେ’ସହରାଞ୍ଚଳ ମଜୁରୀ ଭିତ୍ତିକ ନିୟୋଜନ ‘ ନାମରେ ଏକଯୁଗାନ୍ତକାରୀ ପଦକ୍ଷେପର ଶୁଭାରମ୍ଭ କରିଥିଲେ, ଯାହାର ଲକ୍ଷ୍ୟ ଥିଲା ସହରୀ ଗରିବ, ଅଣକୁଶଳୀ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ତ୍ୱରିତ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା।

ଏହି ପଦକ୍ଷେପର ସଫଳତାକୁ ଭିତ୍ତିକରି ଏବଂ ତୃଣମୂଳ ସ୍ତରରୁ ବିପୁଳ ପ୍ରଶଂସା ସହ ସଫଳତା ମାଇଲ ଖୁଣ୍ଟ ହାସଲ କରି ଏହା ଫେବ୍ରୁଆରି ୨୦୨୧ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’ (ମୁକ୍ତା) ନାମରେ ଏକ ପୂର୍ଣ୍ଣାଙ୍ଗ ଯୋଜନାରେ ପରିଣତ ହୋଇଛି। ଏହା ଓଡିଶା ସରକାରଙ୍କ ଏକ ଫ୍ଲାଗସିପ ବା ଉତ୍କର୍ଷ କାର୍ଯ୍ୟକ୍ରମ। ଏହି ଲୋକ କେନ୍ଦ୍ରୀକ ଯୋଜନା ଗୋଷ୍ଠୀର, ଗୋଷ୍ଠୀ ନିମନ୍ତେ ଏବଂ ଗୋଷ୍ଠୀ ଦ୍ୱାରା ପରିଚାଳିତ।’ମୁକ୍ତା’ ଯୋଜନାର ନିମ୍ନରୁ ଊର୍ଦ୍ଧ୍ୱଗାମୀ କାର୍ଯ୍ୟ ପରିଚାଳନା ପଦ୍ଧତି ଅଦ୍ଭୂତପୂର୍ବ। ଏହି ‘ମୁକ୍ତା’ ଯୋଜନା ଅନ୍ତର୍ଗତ କାର୍ଯ୍ୟଗୁଡିକ ପୌର ସଂସ୍ଥାର କାର୍ଯ୍ୟକର୍ତ୍ତମାନଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ, ସହଯୋଗୀ ଓ ଗୋଷ୍ଠୀ ସହଭାଗୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ବା ବସ୍ତି ବାସିନ୍ଦା ସଂଘ ଦ୍ୱାରା ସିଧାସଳଖ ନିର୍ବାହ କରାଯାଉଛି। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ସହରାଞ୍ଚଳ ଗରିବଙ୍କ ପାଇଁ ମଜୁରୀ ଭିତ୍ତିକ ନିୟୋଜନ ସୁଯୋଗ ସୃଷ୍ଟି ଏବଂ ଗୋଷ୍ଠୀ ସହଭାଗିତାରେ ଜଳବାୟୁ ଅନୁକୂଳ ଗୋଷ୍ଠୀ ସମ୍ପଦ ସୃଷ୍ଟି।

ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ୱାର୍ଡ ୦୧ ର ୫ ଟି ଏମଏସଜିରୁ ୩୦ ସଂଖ୍ୟକ ସଦସ୍ୟା ଏବଂ ଜଣେ ‘ମାଷ୍ଟର ଟ୍ରେନର୍’ ହିସାବରେ ଅଂଶ ଗ୍ରହଣ କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ -ଡୁଡା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଭିଡିଓ କନଫେରେନ୍ସ ମାଧ୍ୟମରେ ଯୋଗଦାନ କରି ଅଂଶଗ୍ରହଣକାରୀମାନଙ୍କୁ ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ। ଅଭିଜ୍ଞ, ଦକ୍ଷ ପ୍ରଫେସନାଲମାନେ ଏହି ତାଲିମ କାର୍ଯ୍ୟକ୍ରମରେ ମୁକ୍ତାର କାର୍ଯ୍ୟକାରିତା ପଦ୍ଧତି, ମୁକ୍ତା ପ୍ରକଳ୍ପ ଚିହ୍ନଟିକରଣ ପ୍ରକ୍ରିୟା, ୱାର୍କ ଅର୍ଡର ଏବଂ ତା ସହିତ ପ୍ରଦାନ କରାଯାଉଥିବା ଡକ୍ୟୁମେଣ୍ଟ, ମଷ୍ଟର ରୋଲ, ବ୍ୟାଙ୍କ ଋଣ ପାଇଁ ଗୋଷ୍ଠୀର ଯୋଗ୍ୟତା ମାନଦଣ୍ଡ, ନିର୍ମାଣ କାର୍ଯ୍ୟର ମାପ ଏବଂ ଶ୍ରମିକମାନଙ୍କୁ ମଜୁରୀ ଦେୟ,ବିଲ ଏବଂ ଦେୟ, ରେକର୍ଡ ରକ୍ଷଣାବେକ୍ଷଣ ଇତ୍ୟାଦି ବିଭିନ୍ନ ବିଷୟବସ୍ତୁ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଅଧକ୍ଷ ଇଂ. ନିରଞ୍ଜନ ବେହେରା, କାଉନସିଲର ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ଶ୍ରୀମତୀ ସୁଜାତା ସାମନ୍ତ, ଶ୍ରୀମତୀ ରେମତି ଦାସ, ଶ୍ରୀ ଅଶୋକ ସେଠି, ଶ୍ରୀ କାଳିଆ ପରିଡ଼ା, ନିର୍ବାହୀ ଅଧିକାରୀ ଶ୍ରୀ ରାଜେଶ କୁମାର ମହାପାତ୍ର, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ଟୀମ ଲିଡର ଶ୍ରୀ ସବ୍ୟସାଚୀ ପ୍ରଧାନ, ସହର ମିଶନ ମ୍ୟାନେଜର ଶ୍ରୀ ରାଜେଶ୍ୱର ପାତ୍ର, ମୁକ୍ତା ପ୍ରକଳ୍ପ ସଂଯୋଜକ ଶ୍ରୀ ବିଧୁ ଭୂଷଣ ମହାଙ୍କୁଡ ଏବଂ ଶ୍ରୀ ଜଗନ୍ନାଥ ସାମଲ, ମୁକ୍ତ। ହିସାବ ରକ୍ଷକ ଶାନ୍ତିବାଳା ପାତ୍ର ଏବଂ ପରିଷଦର ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ।
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )